ସୁଲଗ୍ନା ଅପାଙ୍କ "ନାଲିଚୁଡ଼ା"

ଜଣା ନାହିଁ କେତେ ଦିନ ହେବ ମୁଁ ସୁଲଗ୍ନା ଅପାଙ୍କୁ ଜାଣିଛି ମୋତେ ମନେ ନାହିଁ । ହଁ ଏଇ ୨୦୧୭ରେ ହିଁ ତାଙ୍କୁ ଜାଣିଲି । ଅନେକ ସମୟରେ ଟୁଇଟରରେ ତାଙ୍କ କ୍ଷୁଦ୍ରଗଳ୍ପ ଦେଖେ । ତା' ପରେ ଥରେ ତାଙ୍କ ପ୍ରୋଫାଇଲ୍ ଖୋଲିକି ମିଡ଼ିଆରେ ଥିବା ସବୁତକ ଗପ ପଢ଼ିଲି ଆଉ ଗପ ପଢ଼ିଲା ପରେ ବ‌ହୁତ ବଢ଼ିଆ ଲଗାଲା । ଗପ ପଢ଼ିବା ସ‌ହ ତାଙ୍କର ପ୍ରୋଫାଇଲ୍‌ରେ ଥିବା ୱେବ୍‌ସାଇଟ୍ ଲିକ୍ http://www.thehappyteacher.in ଦେଖିଲି । ସେଇ ୱେବ୍‌ସାଇଟ୍‌ଟା ମଧ୍ୟ ଖୋଲିକି ଦେଖିଲେ, ସେଥିରେ ଆହୁରି କିଛି ମୁଁ ପଢ଼ି ନ ଥିବା ଗପ ଥିଲା । ଗୋଟାଏ ଦିନରେ ତ ସବୁତକ ପଢ଼ି ପାରିନଥିଲି, କିନ୍ତୁ ଧିରେ ଧିରେ ଗୋଟାଏ ପରେ ଗୋଟାଏ ପଢ଼ିଲି । ଏହାପରେ ତାଙ୍କର ରାଜାପୁଅ-ବାଇଅସୁରୁଣୀ ଗପ ଆରମ୍ଭ ହେଲା । ସପ୍ତାହରେ ତିନିଦିନରେ ତିନୋଟି ଅଂଶ, ପୁଣି ଅପେକ୍ଷା ଆରଥରକୁ । ଯଦିଓ ଏଇ ଅପେକ୍ଷା କାମଟା ମୋ ଦେଇ ହୁଏନି, ହେଲେ ସେଇ ଗପ ପାଇଁ ଧୈର୍ଯ୍ୟର ସ‌ହ ଅପେକ୍ଷା କରୁଥିଲି । ହେଲେ ସେ ଗପ‌ପ୍ରତି ପାଠକଙ୍କର ଭଲପାଇବା ଦେଖିଲା ପରେ ସେ ଗପଟିକୁ ଶୀଘ୍ର ଶେଷ କରିଦେଲେ । ପରେ ପରେ ଆଉ କିଛି ଗପ ବି ଲେଖିଲେ, ଅପାଙ୍କ ଲେଖାପ୍ରତି ଧିରେ ଧିରେ ଭଲ ପାଇବା ବଢ଼ିଲା । ପରେ ପରେ ଜାଣିବାକୁ ପାଇଲି କି ସେ ତାଙ୍କର କ୍ଷୁଦ୍ରଗଳ୍ପ ସବୁକୁ ମିଶେଇକି ଗୋଟିଏ ବ‌ହି ପ୍ରକାଶ କରିବାର ଯୋଜାନ କରୁଛନ୍ତି ।

ତାଙ୍କର ପ୍ରଥମ ପ୍ରକାଶିତ ବ‌ହି "ନାଲିଚୁଡ଼ା" ଶୀର୍ଷକର ପ୍ରଥମ ଗଳ୍ପଟି ମୁଁ ଆଗରୁ ପଢ଼ିଥିଲି, ସେଇ ଶୀର୍ଷକରେ ବ‌ହିଟି ପ୍ରକାଶ ପାଇବ ବୋଲି ଆମେ ଜାଣିଲୁ, ଯେବେ ତାଙ୍କର ବ‌ହିର ମୁଖ୍ୟପୃଷ୍ଠାର ଫଟୋ ସେ ଟୁଇଟର୍‌ରେ ସେୟାର କଲେ । ଶେଷରେ ଜୁନ୍ ୨୬ରେ ତାଙ୍କର ବ‌ହିଟି ପ୍ରକାଶ ପାଇଥିଲା । ପ୍ରକାଶ ପାଇବା ଆଗରୁ ଆମେ ଆମାଜନ୍ ଆଉ ଓଡ଼ିଆ କାର୍ଟରେ ଅର୍ଡ଼ର କରିଥିଲୁ । ମୁଁ ବି ଆମାଜନ୍‌ରେ ଅର୍ଡ଼ର କରିଥିଲି । ବ‌ହି ପ୍ରକାଶ ପାଇଲା ପରେ ସମସ୍ତଙ୍କ ପାଖକୁ ପ୍ରାୟ ଶୀଘ୍ର ଶୀଘ୍ର ବ‌ହି ଆସିଗଲା । ହେଲେ ମୋ ପାଖକୁ ଟିକେ ବିଳମ୍ବରେ ଆସିଲା, ଜୁଲାଇ ୪ରେ ମୋ ପଖାରେ ଆସିକି ପ‌ହ‌ଞ୍ଚିଲା । ବ‌ହିରେ ଅପାଙ୍କର ଦସ୍ତଖତ ଆଉ ସାଙ୍ଗରେ ପୁଣି ଗୋଟିଏ ସୁନ୍ଦର ଚିଠିଟିଏ । ବ‌ହୁତ ଭଲ ଲାଗିଲା ଦେଖିକି । ଅନେକ ଦିନରୁ ଜଗିଥିଲି, ତେଣୁ ଗୋଟିଏ ଦିନରେ କ'ଣ ମାତ୍ର ୨-୩ ଘଣ୍ଟା ଭିତରେ ସବୁକିଛି ଶେଷ ହେଇଗଲା । ଅବଶ୍ୟ କିଛିଗପ ଆଗରୁ ପଢ଼ିଥିଲି, ମାତ୍ର ପୁଣିଥରେ ବ‌ହିଧରିକି ପଢ଼ିଲାବେଳେ ଅଧିକ ଭଲ ଲାଗିଲା । ପଢ଼ିସାରିଲାପରେ ଭାବିଲି ସବୁଗପ ବିଷୟରେ ପଦିଏ ପଦିଏ କ'ଣ ଲେଖିଲେ ଭଲ ହୁଅନ୍ତା । ଏଇଠି ଲେଖିବା ପାଇଁ ଏକ ଛୋଟ ପ୍ରୟାସ କରୁଛି ।


ବ‌ହିର ଶୀର୍ଷକ ଅନୁସାରେ ପ୍ରଥମ ଗପଟି ଥିଲା, "ନାଲିଚୁଡ଼ା" । ମୁଁ ତ ଆଗରୁ ଚୁଡ଼ା ବିଷୟରେ ଶୁଣିଥିଲି ଆଉ ଖାଇଥିଲି, ହେଲେ ନାଲିଚୁଡ଼ା ବିଷୟରେ ପ୍ରଥମେ ପଢ଼ିଲି । ତ‌ଥାପି ଜଣେ ଦମ୍ପତିର ଭଲପାଇବା ସ‌ହ ଏହି ନାଲିଚୁଡ଼ାର ସମ୍ପର୍କ ସବୁପାଠକଙ୍କ ମନ‌କୁ ଛୁଇଁଯିବ ନିଶ୍ଚୟ । ମୁଁ ପ୍ରାୟ ଛୋଟବେଳୁ ସାମାଜିକ ବିଜ୍ଞାନ ବ‌ହିରେ ପଢ଼ିଥିଲି, ରାସ୍ତାରେ ନାଲିବତି ଜଳିଲେ ଗାଡ଼ି ଆଗକୁ ଯିବନି, ଟ୍ରେନ ଆଗରେ ନାଲି ରଙ୍ଗର ପତାକା ଦେଖାଇଲେ ଟ୍ରେନ୍ ବି ଅଟିକିଯାଏ । ନାଲି ମନେ ବିପଦ ବୋଲି ପ୍ରାୟ ଆମର ସେବେକାର ଧାରଣା ଥିଲା । ହେଲେ ପରେ ଗୀତ ଶୁଣିଲୁ, "ନାଲି ନାଲି ସବୁ ଦିଶୁଛି, ଗୋରୀ ତୋତେ ପ୍ରେମ ହୋଇଛି ।" ସେବେ ଜଣା ପଡ଼ିଲା କି ନାଲି ମାନେ ବିପଦ ନୁହେଁ, ନାଲି ମାନେ କିଛି ଭଲ ମଧ୍ୟ । ନାଲି ଅର୍ଥାତ ବିପଦ ଆଗରୁ ଆମରୁ ସାବଧାନ ହେବାକୁ ପଡ଼ିଥାଏ । ଏଇଠି ନାଲିଚୁଡ଼ା ବି ସେମିତି ସୁନ୍ଦର ପ୍ରେମକାହାଣୀଟିଏକୁ ନେଇ ଆସେ ନିତିଦିନ ।

ପରବର୍ତ୍ତୀ ଗପଟି ଥିଲା "କ୍ଷୀରି", ସେଇଟା ତାଙ୍କର ପ୍ରଥମ ଲେଖା ଥିଲା । ଏଇଟା ଖାଲି ଗପ ନୁହେଁ, ଏଇ ଗପରେ ଭରି ହୋଇ ରହିଛି ଆମମାନଙ୍କ ମନରେ ଥିବା ହୀନମାନ୍ୟତା । ପାଖରେ ସବୁକିଛି ଥାଇକି ବି ଆମେ ସଦାବେଳ ନିଜ କଥା ହିଁ ଚିନ୍ତା କରୁ, ହେଲେ ସେଇ ନିଜ ବିଷୟରେ ଭାବିବା ଆଉ ଅନ୍ୟକାହାର ଆମ‌ପ୍ରତି ଥିବା ଭଲପାଇବା ବିଷୟରେ ଏହି ଗପଟିର ତୁଳନା ନାହିଁ । "ଫେରା": ଏହି ଗପଟି ତ ଗପ ନୁହେଁ, ଏକ ସାମାଜିକ ଶିକ୍ଷା, ଏକ ପରିବେଶ ଭିତ୍ତିକ ନାଟକ । ନିଇତି ଆମେ ଅନେକ କିଛି ସମୁଦ୍ରଗର୍ଭକୁ ଫିଙ୍ଗୁଛେ ଆଉ ସେ ସବୁ ଅଳିଆ ଯାଇକି କେତେ ଭରଙ୍କର ହେଉଛି ତା'ହା ବୁଝିବା ଆମର ନିହାତି ଦରକାର । "ଫେସବୁକ‌କୁ ଚିଠିଟିଏ", ଏଇଟା ତ ଗୋଟିଏ ଏମିତି ଆବେଗଭରା ଲେଖା, ଯାହାକି ମୋ ସ‌ହ ମଧ୍ୟ ଯୋଡ଼ିହୋଇରହିଛି । ମୁଁ ଯେବେ ଇଞ୍ଜିନିୟରିଂ ବେଳେ ସାଙ୍ଗମାନଙ୍କ ସ‌ହ ଫେସବୁକରେ କଥା ହେଉ, ସେମାନେ ମଧ୍ୟ ମୋ ମାର୍କ ବିଷୟରେ ପଚାରନ୍ତି ଆଉ ସେମାନଙ୍କର ଉତ୍ତର ଶୁଣି ମଧ୍ୟ ମୋ ମନରେ ସେମିତି କିଛି ହୁଏ । ଏବେ ମଧ୍ୟ ସେଇ ସମ ଦଶା । ହେଲେ ଏବେ ତ ଅଭ୍ୟାସ ହେଇଗଲାଣି, ଆଉ କାହା ସ‌ହ କଥା ବି ହେଉନି । ଜଣେ ଲୋକର ଅଭିମାନର ଭରା ଏହି ଚିଠି ନିଶ୍ଚୟ ଅନେକଙ୍କୁ କିଛି ନା କିଛି ପ୍ରେରଣା ଦେବ ।

"ଉପ‌ହାର" ଗପରେ ଗୋଟିଏ ଭଲ ଉଦାହରଣ ଦେଇଛନ୍ତି ଆପଣ । ଉପ‌ହାର ଯାହାକୁ ମୁଖ୍ୟତଃ ଆମ ଘରପଟେ କୁହ‌‌ନ୍ତି 'ବେଭାର' କେବଳ ଗୋଟିଏ ଦେବାର ବିଧି ବୋଲି ଦେବାଟା ଠିକ୍ ନୁହେଁ । ଏହା ଆମର ଭଲ ପାଇବା ଉପରେ ହିଁ ନିର୍ଭରଶୀଳ । "କବିତା ବୁଝୁ ନ ଥିବା ଝିଅ", ଏହିଟା ଗପ ନୁହେଁ ବୋଧେ ଅନେକଙ୍କ ଜୀବନରେ ଘଟିଥିବା ଘଟଣା । ହଁ ଅନେକ ଥାଆନ୍ତି କିଛି କଥାକୁ ବୁଝିପାରନ୍ତିନି, କିନ୍ତୁ ଆମକୁ ବେଳେ ବେଳେ ଏମିତି କିଛି ବୁଝେଇଦିଅନ୍ତି ଯେ ଯାହା ଆମ କଳ୍ପନାର ବାହାରେ ଥାଏ । 'ସବୁଠୁ ଭଲ କଥାଟିଏ ଲେଖିଲେ, କବି ବଳବାନ କେବଳ କଲମରେ ।' "ପ୍ରଥମ", ଏହା ତ ଗପ ନୁହେଁ ଏକ ଶକ୍ତ ଚାପୁଡ଼ା ପରି । କିଛି କଥାକୁ ଠିକ୍‌ରେ ନ ବୁଝି ଉପଦେଶ କିମ୍ବା ଟିପ୍ପଣୀ କରିବା ଲୋକେ ଏହି ଶୀର୍ଷକଟିକୁ ପଢ଼ିକି ବୁଝିବା ନିହାତି ଦରକାର । "ଗାଉଁଲି", ଏହି ଗପଟି ମଧ୍ୟ ମୋ ସ‌ହ ନିହାତି ଜଡ଼ିତ । ମୁଁ ଇଞ୍ଜିନିୟରିଂ ବେଳେ ଯଦି କେବେ କ୍ଲାସ୍‌ରେ କିଛି ବୁଝିପାରେନି, ତେବେ ପଚାରେନି, କାରଣ ସେ ଶିକ୍ଷକ ଶିକ୍ଷୟିତ୍ରୀମାନେ ହିନ୍ଦୀରେ ପଢ଼ାଉଥିଲ, ଆଉ ମୁଁ ହିନ୍ଦୀ ଠିକ୍‌ରେ ବୁଝିପାରୁନଥିଲି କି କ‌ହିପାରୁନଥିଲି । ସେଥିପାଇଁ ମୁଁ ମୋ ଗାଉଁଲିଆ ସ୍ୱଭାବ ନ ଦେଖେଇବା ପାଇଁ ଚୁପ୍ ରହିଯାଉଥିଲି । ଆଉ ଏଇଠି ବି ଠିକ୍ ସେଇଆ ହେଇଛି, ହେଲେ ଫଳ କେବେ କେବେ ଓଲଟା ହେଇଯାଏ । "ସନ୍ଧ୍ୟା", ଏହି ଗପଟି ପ୍ରାୟଃ ଅନେକ ଲୋକଙ୍କୁ ପଢ଼ିବାର ଅଛି, ଯେଉଁମାନେ ଖାଲି ଦେଖେଇହେବା ପାଇଁ କିଛି କାମ କରନ୍ତି, ହେଲେ ଅନ୍ତରରୁ କେବେ କାହରି ଆନ୍ତରିକତା ନ ଥାଏ । "ଅଳସେଇ", ଏଇଟା ପ୍ରାୟ ଅନେକଙ୍କ ଜୀବନରେ ଘଟିଥାଏ । ମୋତେ ବି ଆମଘରେ ସବୁ ଅଳସୁଆ ବୋଲି କୁହ‌ନ୍ତି । କ'ଣ କରିବା ସେଇଟା ତ ଆମର ଜନ୍ମର ଆମ ସ‌ହ ଉପ‌ହାର ସ୍ୱରୂପ ଆସିଛି । "ପାନ ଦୋକାନ", ଏହି ଗପଟି ପ୍ରାୟ ସଭିଙ୍କ ପାଇଁ ପ୍ରଯୋଜନ । ଯେମିତିକି ଦୂରପାହାଡ଼ ସୁନ୍ଦର, ସେମିତି ଏହି ଗପଟିରେ ଦର୍ଶନ ମଧ୍ୟ ଦୂରରୁ ଭଲ ଲାଗେ ହେଲେ ନିକଟରୁ ମାନିବା କେତେ ଲୋକଙ୍କ ପାଖରେ ସମ୍ଭବ ତାହା ଦେଖିବ କଥା । ଯେତେବେଳେ ବ୍ୟାଟ୍‌ମ୍ୟାନ୍ ସାଧାରଣ ମଣିଷ ଥିଲା, ସେବେ ତା'ର ପ୍ରେମିକା କ‌ହୁଥିଲା କି ତମେ ତ କିଛି କରୁନାହଁ, ହେଲେ ଯେତେବେଳେ ସେ ବ୍ୟାଟ୍‌ମ୍ୟାନ୍ ହୋଇଗଲା, ସେବେ କ‌ହିଲା, ଆରେ ତମେ ତ ବ୍ୟାଟ୍‌ମ୍ୟାନ୍ ହୋଇଗଲ, ସଭିଙ୍କ ପାଇଁ ସମୟ ଅଛି, ହେଲେ ମୋ ପାଇଁ ସମୟ ନାହିଁ । ଏଇଟା ହେଉଛି ଏଇ ଦୁନିଆର ରିତୀ । ଯାହା ପାଖାରେ ଥାଏ, ସେଇଟା ଭଲ ଲାଗେନି, ଅନ୍ୟର ଜିନିଷ ସୁନ୍ଦର ଲାଗେ ।

"ପ୍ରପୋଜ", ଏଇଟା ଗୋଟିଏ ସବୁଠୁ ବଡ଼ ଜିନିଷ । ଆଗକୁ ଯାଇକି କେହି କ‌ହିବାର ସାହାସ ପ୍ରାୟ ସଭିଙ୍କର ନ ଥାଏ । ମୋ ପାଖରେ ଜମାରୁ ନାହିଁ । ହେଲେ ସେ ସୁଯୋଗ ଚାଲିଗଲାପରେ ମନରେ ଆସେ, ଯଦି ସେତେବେଳେ ଟିକିଏ ସାହାସ ବାନ୍ଧିପାରିଥାନ୍ତି ତେବେ ସେଇଟା ଆଜି ମୋ ପାଖରେ ଥାଆନ୍ତା । ହେଲେ କ'ଣ କରିବା ସମସ୍ତଙ୍କ ପାଖରେ ସାହାସ ଆଉ ଉଚିତ ସମୟରେ ସୁଯୋଗ ନ ଥାଏ । "ଚୁଟି", ଏହି ଗପର ମହତ୍ୱ ସମ୍ପର୍କ ପ୍ରାୟ ଅନେକଙ୍କ ପାଖରେ ଥାଏ । ଚୁଟି ଯାହା ପାଖରେ ଥାଏ, ସେ ତା' ପାଖରେ ଏତେ ଚୁଟି କାହିଁକି ଅଛି ବୋଲି ଭାବେ ଆଉ ଯାହା ପାଖରେ ନାହିଁ ସେ ଝୁରି ହୁଏ । "ସ୍ୱାର୍ଥପର", ହଁ ସଭିଙ୍କୁ ସ୍ୱାର୍ଥପର ହେବାକୁ ପଡ଼ିଥାଏ । ସବୁବେଳେ ନିଜ ବିଷୟରେ ଭାବିବାକୁ ପଡ଼ିଥାଏ, ହେଲେ କେହି ଯେ ଆମକୁ ଭଲରେ ରଖିବାକୁ ସ୍ୱାର୍ଥପର ହୋଇଥାଏ, ସେଇଟା ବି ଆମକୁ ବୁଝିବାର ଥାଏ । ସମ୍ପୂର୍ଣ୍ଣ ଦୁନିଆ କେବଳ ନିଜର ସ୍ୱାର୍ଥ ଦେଖିନଥାଏ । ସେମିତି ହେଇଥିଲେ, ଏଇ ଦୁନିଆ ଆଜି ତିଷ୍ଠି ନଥାନ୍ତା । କେହି ନା କେହି ଆମ ବିଷୟରେ ଭାବୁଛି । "କଥା", ଏଇ କାହାଣୀଟା ମୁଁ ଯେବେ ପଢ଼ିଥିଲି, ଆଜି ବି ମୋର ମନେ ଅଛି, ମୋ ଆଖିରେ ଲୁହ ଆସିଯାଇଥିଲା । ପୁଣିଥରେ ଆଜି ସେଇଟା ପଢ଼ିଲା ପରେ ରୋକି ହେଲାନି ସେ ଲୁହକୁ । ଦୁନିଆରେ କେବେ କିଏ କେତେବେଳେ ଆମ କଥାକୁ ଅଧା ଶୁଣି ଚାଲିଯାଏ ଆମକୁ ଜଣା ପଡ଼େନି । "ବାୟୁଦୋଷ", ଏଇଟା ଗୋଟେ ସବୁଠୁ ମଜାଳିଆ ଗପଟା । ଆଉ ଆରମ୍ଭରେ ସେ ଲେଖାଟା ବଢ଼ିଆ ଲାଗିଲା, "ଯେଉଁ ଘରେ ନଥାନ୍ତି, ସେ ଲୋକମାନେ ନିହାତି ଭଦ୍ର, ନ ହେଲ ପୂରା ମିଛୁଆ ।" ସବୁପରେ ବି ଆମେ ଏହିସବୁକୁ ନେଇ ହିଁ ଜୀବନରେ ଅନେକ ମଜା କରୁଛେ । "ପ୍ରତିଦ୍ୱନ୍ଦିତା", ଏଇଟା ଗୋଟେ ନିଚ୍ଛକ କାହାଣୀଟିଏ । ଜୀବନରେ ଆମର କାହାକୁ ହରେଇବାକୁ କେବେ କେବେ ଏମିତି କିଛି କାମ କରୁ ଯେ, ନିଜ ହାତରେ ନିଜର ପରାଜୟର କାହାଣୀ ଲେଖିଥାଉ । "ଉତ୍ତର" ଗପଟି ଗୋଟିଏ ହୃଦୟସ୍ପର୍ଶୀ ଲେଖାଟିଏ । ଯେବେ ଯିଏ ପାଖରେ ଥାଏ, ଆମେ ଖୋଜୁନା, ହେଲେ ଦୂରେଇ ଗଲେ କେତେ ଖୋଜୁ ସେଇଟା କେବେଳ ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣିଛି । "ସ୍ୱାଦ", ଏହି ଗପଟି ଗୋଟିଏ ସୁନ୍ଦର କଥାଟିଏ । ସ୍ୱାଦ କେବେଳ ମସଲାରେ ନ ଥାଏ, ଥାଏ ଆମ ମନରେ । ଥରେ ଓଡ଼ିଆ କମେଡ଼ିଆନ୍ ପ‌ପୁ ପମ୍ ପମ୍ ଗୋଟେ କମେଡ଼ିରେ କ‌ହିଥଲେ କି ଆମେ ଯେତେବେଳେ ରୋଷେଇ କରୁ, ସେତେବେଳେ ଶ୍ରଦ୍ଧା ଆଉ ସ୍ନେହର ସ‌ହ ରୋଷେଇ କଲେ ସେଇଥିରେ ସ୍ନେହସାର ଥାଏ ବୋଲି ବିଶ୍ୱାସ ରହେ । ଯେବେ କେହି ସ୍ନେହରେ ମନ‌ଧ୍ୟାନ ଦେଇକି ରୋଷେଇ କରେ, ସେବେ ଆମର ତାକୁ ନିରାଶ କରିବା ଉଚିତ ନୁହେଁ । ଧିରେ ଧିରେ ଆମର ପ୍ରଶଂସା ପାଇଲେ ସେ ବି ଭଲ ରୋଷେୟାଟିଏ ହେଇପାରିବ ।

"ପାଦ", ଏହି କାହାଣୀଟି ମୋତେ ମୋ ଛୋଟବେଳର ଦୂରଦର୍ଶନରେ ପ୍ରସାରିତ ଗୋଟିଏ ଧାରାବାହିକ, 'କ‌ହିଲେ ତୋ କୁଳ କୁଟୁମ୍ୱକୁ ଲାଜ' ଧାରାବାହିକ ବିଷୟରେ ମନେ ପକାଏ । ସେବେ ସେ କାହାଣୀଟି ମୁଁ ପୂରା ଦେଖିନଥିଲି, ହେଲେ ଏବେ ତା'ର ମହ‌ତ୍ୱ ବୁଝାପଡ଼ୁଛି । ଯାହା ପାଖରେ କିଛି ଥାଏ, ସେ ଅଧିକ ପାଇବାକୁ ଆଶା କରେ, ହେଲେ ଯାହା ପାଖରେ କିଛି ନ ଥାଏ, ସେ କେମିତି ଚଳୁଥିବ ବୋଲି ସେ କେବେ ଭାବେନା । ସବୁବେଳେ ଆଖିଦେଖା କି କାନଶୁଣା କଥା ସତ ହୋଇନଥାଏ । ଯାହା ପାଖରେ ପାଦ ନାହିଁ, ସେ ଚପଲ ଥିବା ଲୋକ କଥା ଭାବେ । ଯାହା ପାଖରେ ଚପଲ ଥାଏ, ସେ ସାଇକେଲରେ ଯାଉଥିବା ଲୋକ ବିଷୟରେ ଭାବେ । ସାଇକେଲରେ ଯାଉଥିବା ଲୋକ ମୋଟର ସାଇକେଲ ବିଷୟରେ ଆଉ ମୋଟର ସାଇକେଲ ବାଲା କାର୍ ବିଷୟରେ ଆଉ କାର୍ ବାଲା ତ ସିଧା ଆକାଶରେ ଉଡ଼ିବାକୁ ଭାବୁଥାଏ । "ପିକ୍‌‌ନିକ୍", ଏହି ଗପଟି ଏବେକାର ପିଲାଙ୍କର ଆବେଗକୁ ବର୍ଣ୍ଣନା କରିଛି । ପିତାମାତା ସବୁବେଳେ ନିଜ ଖୁସି ପାଇଁ ପିଲାଟିର ଖୁସିକୁ ଦେଖନ୍ତିନି, ଆଉ ଯେବେ ସେ ପିଲା ବଡ଼ ହେବ, ସେବେ ସେ ତା' ଖୁସି ପାଇଁ କାହିଁକି ତା' ବାପାମାଆଙ୍କ କଥା ଭାବିବ । ଦେଖା ଶିଖା ଓଡ଼ିଆ । ଯେସାକୁ ତେସା । "ମଣିଷ", ଏହି ଗପଟି ସମାଜ ଉପରେ ହୁଏତ କିଛି ପ୍ରଭାବ ପକାନ୍ତା କି । ମୋ ଚୁଟି ସବୁବେଳେ ଠିଆ ହୋଇଯାଏ ବୋଲି, ମୁଁ ଆଗରୁ ତାକୁ ଶୁଆଇବାକୁ ଜେଲ୍ ଲଗାଉଥିଲି, ହେଲେ ପରେ ଦେଖିଲି କି ପିଲାମାନେ ତାଙ୍କୁ ଚୁଟିକୁ ଠିଆ କରିବାକୁ କେତେ କ'ଣ କରୁଛନ୍ତି । ଯାହାପାଖରେ ତେଲ ଲଗେଇବାକୁ ପଇସା ନ ଥାଏ, ତା' ଚୁଟି କଅଁରା ପଡ଼ିକି ନାଲି ହେଇଯାଏ ଆଉ ଯାହା ପାଖରେ ଅଛି, ସେ ତ କେତେ କ'ଣ ଖର୍ଚ୍ଚ କରିକି ତା'କୁ ନାଲି କରେ । ଯାହା ପାଖରେ ପଇସା ନ ଥାଏ, ସେ ଚିରାପଟା ପିନ୍ଧେ, ହେଲେ କିଛି ଅଧିକ ପଇସା ଦେଇକି ଚିରାକପଡ଼ା ପିନ୍ଧୁଛନ୍ତି । "ଭୂତଗପ", ଏହି ଗପଟା ଗୋଟେ ର‌ହସ୍ୟର ସ‌ହ ରହିଗଲା, ଅବଶ୍ୟ ମୁଁ ଆଗରୁ ଆପଣଙ୍କ ୱେବସାଇଟ୍‌ରେ ସମ୍ପୂର୍ଣ୍ଣ କାହାଣୀଟା ପଢ଼ିଛି । "ଉର୍ମିଳା", ଏଇ ଗପଟା ମୁଁ ଯେବେ ପଢ଼ିଥିଲି, ସେବେ ମଧ୍ୟ କ‌ହିଥିଲି, ସେ ହେଉଛି ଏହି ଦୁନିଆର ସବୁକିଛି । ଉର୍ମିଳାର ତ୍ୟାଗ ପାଇଁ ଦିନେ ଲକ୍ଷ୍ମଣ ମହାନ ହୋଇଥିଲେ, ସେ ଉପବାସ ରହି ଅନ୍ୟ ପାଇଁ ଦୀପ ଜାଳେ । ଆମ ଦୁନିଆ ଅନେକ ନାରୀଙ୍କୁ ସମ୍ମାନ ଦେଇଛି, ହେଲେ ଏହି ଦୁନିଆ ସବୁ ନାରୀ ଭିତରେ ଅନେକ ଉର୍ମିଳାକୁ କେହି ଦେଖିନାହାନ୍ତି କି ଜାଣି ନାହାନ୍ତି । ସେମାନେ ବଣ ମଲ୍ଲୀ ପରି ବଣରେ ଫୁଟି, ବଣକୁ ସୁଗନ୍ଧିତ କରି ପୁଣି ବଣରେ ଝଡ଼ିଯାଇଛନ୍ତି । ହେଲେ ସେଇମାନଙ୍କରେ ତ୍ୟାଗ ପାଇଁ ଅନେକ ଏହି ଦୁନିଆରେ ଅଗ୍ରପୂଜ୍ୟ ହୋଇଛନ୍ତି । "ଚଷମା", ଏହି ଗପର ମର୍ମ ଅନେକ ଗମ୍ଭୀର । ଦାମୀ ଚଷ‌ମାଟିଏ ପିନ୍ଧିଦେଲେ, ଆମେ ସବୁକିଛିକୁ ଦେଖି ପାରୁନଥାଉ । କେବେ ଆମକୁ ଅନେକ କିଛି ଲୁକ୍କାଇତ ଜିନିଷ ଦେଖିବାକୁ ଆଖିର ଚଷମା ନୁହେଁ, ମନ ଆଉ ହୃଦୟର ଚଷମା ବ୍ୟବ‌ହାର କରିବାକୁ ପଡ଼ିଥାଏ । "ପ୍ରସ୍ତୁତି", ଏହି କାହାଣୀଟି ସମସ୍ତଙ୍କୁ ପଢ଼ିବା ଦରକାର । ବେଳ ଥାଉ ସବୁକିଛି ପାଇଁ ପ୍ରସ୍ତୁତି କରିବା ଦରକାର । ଜୀବନରେ ଏକୁଟିଆ ଆଗକୁ ଯିବା ପାଇଁ ଆମକୁ ସବୁକିଛି ଶିଖିବାକୁ ହେବ । ହଁ ଟିକେ କଷ୍ଟ ହେବ, ହେଲେ ଭବିଷତ ନିଶ୍ଚୟ ସୁରକ୍ଷିତ ହେବ ।

"ବିଶ୍ୱାସ", ଏହି ଗପଟି ପ୍ରାୟ ଅନେକବେଳେ ସତ ହୋଇଥାଏ । ମୋ ସ‌ହ ମଧ୍ୟ ହୋଇଛି, କେବେ କେବେ ଆମର ବିଶ୍ୱାସ ଆଉ ଅଧ୍ୟାତ୍ମିକ ଭାବନା ଆମକୁ ସାକାରାତ୍ମକ ଭାବନା ଯୋଗାଇଥାଏ ଆଉ ଆମେ ଅତି ଜଟିଳ ସମସ୍ୟାକୁ ସୁରୁଖୁରୁରେ ସମାଧାନ କରିପାରୁ । କଥାରେ ଅଛି ପରେ, 'ବିଶ୍ୱାସେ ମିଳଇ ହରି' । "ସ୍ୱାଧୀନତା", ଏହି ଶବ୍ଦଟିର ଅର୍ଥ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ । ଯେମିତି ଜଳ ବିହିଲେ ସୃଷ୍ଟି ନାଶ, ଆଉ ଜଳ ବ‌ହୁଳେ ସୃଷ୍ଟି ନାଶ । ସେମିତି ସ୍ୱାଧୀନତା ମଧ୍ୟ ଅଧିକ କେବେ ହିତକର ହୋଇନଥାଏ । "ଡାହାଣୀ", ଏହି ଗପଟି ସବୁ ଲୋକଙ୍କୁ ବୁଝିବା ନିହାତି ଦରକାର । ସବୁ ଯେ ଦୁନିଆରେ ଡାହାଣୀ ନ ଥାନ୍ତି, ସେଇଟା ଯେବେ ଲୋକେ ବୁଝିବେ, ଦୁନିଆରୁ ଡାହାଣୀ ବି ଦୂରେଇଯିବେ । "ରଙ୍ଗ", ଏହି କାହାଣୀ ଅନେକ ଲୋକଙ୍କ ପାଖରେ ଏବେ ବି ଅବୁଝା । ମୁଁ ବି ଗୋରା ନୁହେଁ ବୋଲି ସବୁବେଳେ ନିଜକୁ ଖରାପ ଲାଗେ, କାରଣ ମୋ ଫଟୋ ଏତେ ଭଲ ଲାଗେନି । ହେଲେ ଏଇ ଗପଟି ପରଠାରୁ, ମୁଁ କେବେ ମୋ ରଙ୍ଗ କଥା ମନ‌କୁ ଆଣେନି । ରଙ୍ଗର ଭେଦଭାବ କେବଳ ମନରେ ଥାଏ । ଏହି ବିଷୟରେ ଅପା ମଧ୍ୟ ଗୋଟିଏ ଅଲଗା ଲେଖାରେ ଫେସ୍‌ବୁକ୍ ପୃଷ୍ଠାରେ ଲେଖିଥିଲେ, ସେଇ ଲେଖାଟି ମଧ୍ୟ ପାଠକେ ପଢ଼ିବା ନିହାତି ଦରକାର । "ଚକୁଳି ପିଠା", ଏହି ଗପରେ ଥିବା ସେ ଆପଣାର ପଣିଆ ଲୋକଙ୍କୁ ବୁଝିବା ଦରକାର । ଦୁନିଆ ଆମର, ସମାଜ ଆମର, ତେଣୁ ଆମେ ସଭିଙ୍କୁ ନିଜର କରିବା ଦରକାର । "ଟିପଚିହ୍ନ", ଆମେ ଯେତେ ଆଗକୁ ଗଲେ ଆମ ପୁରୁଣା ଜୀବନ ଆମ ସ‌ହ ଯୋଡ଼ି ହୋଇଥାଏ । ସେଇ ପୁରୁଣା ଖାଇବା, ପୁରୁଣା ପୋଷାକ ମଧ୍ୟ ଆଜିର ଦୁନିଆରେ ଦେଖିବାକୁ ମିଳୁଛି, ଅବଶ୍ୟ ସେବେ ବକ୍କଳ ଥିଲା, ହେଲେ ଏବେ କପଡ଼ାରେ ସେହି ଭଳି ନିର୍ମିତ ପୋଷାକ । "ସ୍ୱଚ୍ଛ ଭାରତ ଅଭିଯାନ", ଏହି ଗପଟି ଆଜିକାଲି ଚାଲିଥିବା ଗୋଟିଏ ଧାରା (ଟ୍ରେଣ୍ଡ) ବିଷୟରେ ଏମିତି ସୂଚାଉଛି ଆଉ ସେହି ଭଳି ଲୋକଙ୍କୁ ପଢ଼ିବା ଦରକାର । ଭାରତ କେବେ ବିଜ୍ଞାପନରେ ସ୍ୱଚ୍ଛ ହେବନି, କାମରେ ସ୍ୱଚ୍ଛ ହେବ । ମଦର ଟେରେସାଙ୍କ ଅନୁସାରେ, ନିଜ ଘର ଆଗ ସଫା କର, ଦୁନିଆ ସଫା ହେଇଯିବ । ହେଲେ ଦୁନିଆ ସଫା କରିବା ବାହାନାରେ ନିଜ ଘର ଅଳିଆ ବଢ଼ାଇଲେ ଦୁନିଆ କେବେ ବି ସ୍ୱଚ୍ଛ ହେଇପାରିବନି । "କର୍ତ୍ତବ୍ୟ", ଏହି ଗପଟି ସବୁଲୋକଙ୍କୁ ପଢ଼ବା ଆଉ ବୁଝିବା ଦରକାର । ଖାଲି ଯେ ଆମର ପ୍ରତି କାହାର କର୍ତ୍ତବ୍ୟ ଅଛି, ସେଇଟା ନୁହେଁ । ଆମର ମଧ୍ୟ ସେମାନଙ୍କ ପ୍ରତି ଅନେକ କିଛି କର୍ତ୍ତବ୍ୟ ଅଛି । ଯେମିତି ସବୁ କ୍ରିୟାର ପ୍ରତିକ୍ରିୟା ହୋଇଥାଏ, ସେମିତି ସମସ୍ତଙ୍କର ଆମ‌ପ୍ରତି ଥିବା କର୍ତ୍ତବ୍ୟର ଋଣ ମଧ୍ୟ ଆମକୁ ସୁଝିବାକୁ ପଡ଼ିବ ବୋଲି ଆମକୁ ବୁଝିବା ଦରକାର । "ସୁଖ", ନିଜକୁ ଖୁସି କରିବାକୁ ଯାଇ, ଆଉ ଆମର କିଛି ଛୋଟକାଟିଆ କାମ ଦେଖେଇକି ଆମେ ଅନେକଙ୍କ ସୁଖ ନଷ୍ଟ କରୁଦେଇଛେ । ହେଲେ କ'ଣ ହେବ, ଦୁନିଆରେ ଏମିତି ହିଁ ଚାଲିଆସିଛି ଆଉ ପ୍ରାୟ ଲୋକ ସବୁକୁ ବୁଝିକି ବି ସେଇଟାକୁ ଆଦରି ନେଇଛନ୍ତି ।

"ଅଭିମାନ", କେବେ କେବେ ଆମର ଅଭିମାନ ବି ସତ ହୋଇଯାଏ । ବେଳେ ଆମେ ଏମିତି କିଛି କ‌ହିଦେଉ, ସେଥିପାଇଁ କେହି କେହି ଅଭିମାନ କରିଥାଆନ୍ତି । "ଅନୁସରଣ", ଏହି ଗପଟି ମୋତେ ସବୁଠୁ ବେଶି ଭଲ ଲାଗିଲା । କଥାରେ ଅଛି, "କ‌ହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ" । ଅନ୍ୟକୁ ଉପଦେଶ ଦେବା ବ‌ହୁତ ସ‌ହଜ, ହେଲେ ନିଜ ଜୀବନରେ ଏହି ଉପଦେଶକୁ ଅନୁସାରଣ କରିବା କେବେ ବୋଧେ ସମ୍ଭବ ହୁଏନି । ଅନେକ ଡଃ ଅବ୍‌ଦୁଲ୍ କଲାମଙ୍କର ଉପଦେଶ ଦିଅନ୍ତି ହେଲେ କେହି କେବେ ପିଲାମାନଙ୍କ ପାଇଁ ତାଙ୍କ ଭଳି ହେଇଛି । "ମାଣବସା ଗୁରୁବାର ୧-୨" ଏହି ଦୁଇଟି ଗପ ଆମମାନଙ୍କ ଦୁନିଆରେ ଥିବା ଅନେକ କିଛି ଅନ୍ଧବିଶ୍ୱାସ ଉପରେ ଆଧାରିତ । ଯେମିତି ଆମେ ସବୁ ଦେଖୁ ଆଉ ସବୁ ବୁଝୁ ହେଲେ ସେ ସବୁ କେବଳ ସିମୀତ ସମୟ ପାଇଁ । ଯେମିତି କି ଶିଶୁଶ୍ରମିକ ପ୍ରଥା ବିଷୟରେ ଚାହା ଦୋକାନରେ ବସି ନିନ୍ଦା କଲାବେଳେ ଦୋକାନରେ କାମ କରୁଥିବା ଛୋଟପିଲାଟିକୁ ଚାହା ଆଣିବାକୁ ଆଦେଶ ଦେଇଥାଉ । "ଅଳିଆ", ଏହି ଗପଟି ମୋ ସ‌ହ ଜଡ଼ିତ ମଧ୍ୟ । ମୁଁ ମୋର କୌଣସି ଜିନିଷ କେବେ ଫୋପାଡ଼ିବାକୁ ଚେଷ୍ଟା କରେନି । ସବୁଜିନିଷକୁ ପୁଣିଥରେ ବ୍ୟବ‌ହାର କରେ । ହଁ ସେ ସବୁ ଫଳରେ ଅଳିଆ ବଢ଼ିବନି ବରଂ କମିବ ବୋଲି ମୋତେ ଲାଗେ । "ହିସାବ", ଆମେ ଜୀବନରେ ଟଙ୍କା ପଇସା ଆଉ ଧନସମ୍ପତ୍ତିର ହିସାବ କରୁ କରୁ କେତେବେଳେ ଯେ ଆମର ଜୀବନ‌ର ମଧ୍ୟ ହିସାବ କରିଦେଇ‌‌ଥାଉ ସେଇଟା ଆମକୁ ଜଣା ପଡ଼େନି । "ଦାନ", ଏହି ଗପଟି ଅନେକଙ୍କ ଜୀବନରେ ପ୍ରାୟତଃ ଘଟିଥିବ । ଯେବେ ଆମେ କାହାକୁ କିଛି ଦାନ କରୁ, ସେବେ ଆମେ ସବୁବେଳେ ନିଜକୁ ଉପରେ ହିଁ ଦେଖିଥାଉ । ମାତ୍ର କେବେ ଯଦି ଆମେ ଜାଣୁ ଆମ‌କୁ ଭଗବାନ ଭାବି ଦାନ ଗ୍ରହଣ କରୁଥିବା ଲୋକଟି ଟିକେ ଉପରକୁ ଉଠିଯାଇଛି, ସେବେ ଆମର ସବୁ ଅ‌ହ‌ଙ୍କାରରେ ଦାଗ ଲାଗିଯାଏ ଆଉ ରସଗୋଲା ବି ପାଣିଚିଆ ଲାଗେ । "ଗଣ୍ଠି", ଏଇ ଗପଟି ଏମିତି ଏକ କଥାକୁ ଦେଖାଇଲେ ଯେ, ଭଲ ପାଇବାଠୁ ନେଇକି ଜୀବନରେ ଘଟୁଥିବା ଦ୍ୱେଷ ଏବଂ ଦ୍ୱିଧା ଯାଏଁ ଛପିଯାଇଛି । "ହେଲମେଟ୍", ମୁଖ୍ୟତଃ ସଭିଙ୍କୁ ହେଲମେଟ୍ ଅ‌ଥବା ଆମ ନିଧି ଅଜାଙ୍କ ଭାଷାରେ 'ମଥାସାଞ୍ଜୁ' ପ୍ରୟତଃ ଅନେକ ଲୋକଙ୍କୁ ପିନ୍ଧିବାକୁ ଭଲ ଲାଗେନି । ଏମିତିକି ମୋତେ ତ ଜମାରୁ ଭଲ ଲାଗେନି ଆଉ ସେଇଥିପାଇଁ କେତେ ଯେ ଗାଳି ଶୁଣେ, ସେଇଟା କ‌ହିବାକୁ ନାହିଁ । ଏକୁଟିଆ ଗଲାବେଳେ ଘରଠୁ ଟିକେ ଦୂରକୁ ଗଲାପରେ ତା ଜାଗା ସେ ଆଇନା ଷ୍ଟାଣ୍ଡରେ ଆଉ ବାପାଙ୍କ ସଙ୍ଗେ ଗଲାବେଳେ ବାପାଙ୍କୁ ପିନ୍ଧେଇଦିଏ । ହେଲେ କେବେ କେବେ ଦୁନିଆରେ ଏମିତି ଘଟଣାସବୁ ଘଟିଯାଏ, ଚାହିଁଲେ ବି ଆମେ ପଛକୁ ଫେରି ପାରୁନା । କେବେ କେବେ ଲାଗେ, ମୁଁ ବି 'ପ୍ରିନ୍ସ ଅଫ୍ ପର୍ସିଆ' ହୋଇଥାନ୍ତି କି, ସମୟକୁ ପଛକୁ ଫେରେଇବା ଯନ୍ତ୍ରଟିଏ ମୋ ପାଖରେ ଥାଆନ୍ତା କି । ହେଲେ ବିଧିର ବିଧାନ, କେ କରିବ ଆନ । "ବୋଉ କ‌ହେ", ଏହି ଗପଟି ଅନେକ ବୋଉର ହୃଦୟର କଥା କ‌ହୁଛି । "ମତାନ୍ତର", ଜୀବନରେ ଅନେକ କିଛି ଛୋଟବଡ଼ ଘଟଣାକୁ ନେଇକି ଆମ ନିଜ ନିଜ ମଧ୍ୟରେ କଥା କଟାକଟିଠାରୁ ଆରମ୍ଭ କରି ବଡ଼ ବଡ଼ ଝଗଡ଼ା ଯାଏଁ ହେଇଥାଏ, ହେଲେ ସବୁକିଛିର ଗୋଟିଏ ଅନ୍ତ ଥାଏ, ସେମିତି ଆମ ଜୀବନରେ ବି ଅନେକ ଲୋକଙ୍କ ସ‌ହ ଏହି ଘଟଣା ଘଟିଛି ଆଉ ମୋ ଜାଣିବାରେ ମତାନ୍ତର କି ମନାନ୍ତର ପରେ ଆମେ ଉଭୟ ଉଭୟଙ୍କ ସ‌ହ ଅଧିକ ଯୋଡ଼ିହେଇଯାଉ । 

"ସମ୍ପର୍କ", ହଁ ଏଇ ଗପଟି ଗୋଟିଏ ନିରବତାର କାହାଣୀଟିଏ ବୋଲି ମୁଁ କ‌ହିବି । ସବୁବେଳେ ଆମେ ଅନ୍ୟକୁ ଦେଖେଇବା ପାଇଁ ଯେ କେବଳ ସମ୍ପର୍କ ରକ୍ଷା କରିନଥାଉ । ଆମର ଭିତରେ ଥିବା ସେହି ସମ୍ପର୍କ ସବୁଠୁ ବେଶି ଦୃଢ଼, ଯାହାକି ଆମକୁ ବାରମ୍ବାର ମନେ ପକାଇବାକୁ ପଡ଼େନି । +୨ ବେଳେ ପଢ଼ିଲାବେଳେ ଗୌରାଙ୍ଗ ସାର୍ ଗୋଟିଏ ଭଲ କଥାଟିଏ କ‌ହିଥିଲେ । ପ୍ରେମିକ ପ୍ରେମିକାକୁ କାଳେ ଭୁଲିଯିବ ବୋଲି ସେମାନେ ପରସ୍ପରକୁ ବାରମ୍ବାର "ଆଇ ଲଭ୍ ୟୁ" ଆଦି କ‌ହିଥାନ୍ତି । ହେଲେ ମାଆ ପୁଅ ଭିତରେ କି ପରିବାର ଭିତରେ ସେମିତି ହୁଏନି, କାରଣ ସେମାନଙ୍କ ମଧ୍ୟରେ ସମ୍ପର୍କ ସେତେ ଦୃଢ଼ ଯେ, ସେମାନେ ଚାହିଁଲେ ବି ଭୁଲିପାରିବେନି । "ଭୁଲ", ଏହି ଗପଟି ତ କେତେବେଡ଼ କଥାଟିଏ ଶିଖାଉଛି ତାହା ଆମକୁ ବୁଝିବାକୁ ପଡ଼ିବ । ଗୋଟେ ସମୟ ଥିଲା, ଯେବେ ମୋତେ ବି ଲାଗିଥିଲା କି ଇଂରାଜୀ ଆଉ ହିନ୍ଦୀରେ ମୁଁ ଦୁର୍ବଳ, ସେଇଟା ମୋର ବଡ଼ ଭୁଲ, ହେଲେ ଧିରେ ଧିରେ ଅନେକ ଲୋକଙ୍କ ସ‌ହ ମିଶିବା ପରେ ଜଣାପଡ଼ିଲା, ଭାଷା ତ କଥୋପକଥନର ମାଧ୍ୟମ । ତେଣୁ ଆମେ ଯାହା ପଢ଼ୁଛେ, ସେଇଟା ନିହାତି ଦରକାର । କେବଳ ବୁଝିବା ପାଇଁ ଆଉ କ‌ହିବା ପାଇଁ ଟିକିଏ ଇଂରାଜୀ କି ହିନ୍ଦୀ ଜାଣିବା ଦରକାର । ଯଦି ଲୋକଟିଏ ଆମର ଆବେଗକୁ ବୁଝିପାରୁଛି ତାହା ହିଁ ଶ୍ରେୟ । "କୁଣିଆ", ଏହି ଗପଟି ମଧ୍ୟ ଅନେକ ଲୋକଙ୍କୁ ପଢ଼ିକି ବୁଝିବାକୁ ପଡ଼ିବ । କଥାରେ କୁହ‌ନ୍ତି, 'ଝିଅ ଜନମ ପର ଘରକୁ' । ସେମାନଙ୍କୁ ଆମେ ନିଜେ ଜାଣି ଜାଣିକି ପର କରିଦେଉ ଆଉ କ‌ହୁକି ଝିଅ ତ' ଆମକୁ ପର କରିକି ଚାଲିଗଲା । ସେମାନେ କେବେ ନିଜର ହେବାକୁ ଚେଷ୍ଟା କଲେ, ଆମେ ପୁଣି ସେଇ କଥା କ‌ହି ସେମାନଙ୍କୁ ପର କରିଦେଉ । "ଚାଲାକ", ଏହି କଥାରୁ ମୋତେ ମୋର ଗୋଟେ ସାଙ୍ଗ ସନତ କଥା ସବୁବେଳେ ମନେ ପଡ଼ିଯାଏ । ସେ ସବୁବେଳେ କ‌ହେ, ଦୁନିଆରେ କେହି ବୋକା ନାହାନ୍ତି, ଆଉ ତୁ ଯଦି କାହାକୁ ବୋକା ବୋଲି ଭାବୁଛୁ, ତାହାଲେ, ତୋ' ଠାରୁ ବଡ଼ ବୋକା ଆଉ କେହି ନାହିଁ । "ଆମ୍ବଖଟା", ଏହି ଗପଟି ସବୁ ପିଲାମାନଙ୍କୁ ପଢ଼ିବା ଦରକାର । ସ୍ନେହ ମମତା ଖାଲି ଯେ ପରିବାରରୁ ମିଳେନି, ଆମେ ଯାହାକୁ ଆପଣେଇ ନେଉ, ସେ ଆମର ପରିବାର ହେଇଯାଏ । "ଛୋଟଘର", ଏହି ଗପଟି ଅନେକ କ‌ଥା କ‌ହୁଛି । ବାପାମାଆର ଭଲପାଇବା ଆଉ ନିଜ ପ୍ରତି ବେଖାତିର୍ । ହେଲେ ମୋତେ ଶେଷରେ ସବୁଠୁ ବେଶି ହସ ଲାଗିଲା । ପୁଅ ପଇସା ବଞ୍ଚେଇବା ପାଇଁ ଛୋଟ ଘର ନେଉଛି, ହେଲେ ବାପା ସେଇଟାକୁ ପୁଅର ଦୁଃଖ ଭାବିକି ନିଜର ସୁଖକୁ ତ୍ୟାଗ କରିବାକୁ ପ‌ଛାଉନି ।

ମୋଟାମୋଟି ଭାବରେ ଏହି ସଙ୍କଳନରେ ଥିବା ସବୁଯାକ ଗପ ଏତେ ମନ‌ଛୁଆଁ ଯେ କ‌ହି ହେବନି । ମୁଁ ମୋର ସବୁକଥାକୁ ବି ଏକାଥରକେ ଖୋଲିକି କ‌ହିପାରେନି । ବ‌ହିଟିରୁ ଅନେକ କିଛି ଶିଖିବାକୁ ମିଳିବ ନିଶ୍ଚୟ । ଅନେକଙ୍କ ପାଇଁ ପ୍ରେରଣା, ତ କାହା ପାଇଁ ତାଙ୍କ ପ୍ରଶ୍ନର ଉତ୍ତର ହେବ ବୋଲି ମୁଁ ଭାବୁଛି । ଆଉ ଓଡ଼ିଆ ସାହିତ୍ୟ ପ୍ରତି ଲୋକଙ୍କର ଆଗ୍ରହ କମୁଥିବା ସମୟରେ ଏହି ବ‌ହିଟି ଲୋକେ ଅଧିକ ପସନ୍ଦ କରିବେ ବୋଲି ଆଶା ର‌ହିଛି ପ୍ରାୟ ସଭିଙ୍କର ।

0 comments:

Post a Comment