ପରିବେଶ ସୁରକ୍ଷା, ଜୀବନ ରକ୍ଷା

ପରିବେଶ ସୁରକ୍ଷା, ଜୀବନ ରକ୍ଷା । ପରିବେଶର ସୁରକ୍ଷା ପାଇଁ ସୁଦର୍ଶନ ପଟ୍ଟନାୟକେ ଅନଶନରେ ବସିଲେ । ସରକାର ତ ତାଙ୍କ କାମ କରିଦେବେ । କ'ଣ ଗୋଟେ ଯୋଜନା ବନେଇଦେବେ ଆଉ ତା' ପରେ ତାଙ୍କ କାମ ଶେଷ । ସେ କାମ କେତେ କ'ଣ ହେବ ସେକଥା ଭଗବାନଙ୍କୁ ବି ଅଜଣା । ସବୁପରେ ବି ଯଦି ସେସବୁ ସଫା ହୋଇଯାଏ, ତେବେ ପୁଣି ଅଳିଆ ଭର୍ତ୍ତି ହେବନି ବୋନି କିଏ କ‌ହିବ । ଆମକୁ ନିଜେ ହିଁ ନିଜେ ସଚେତନ ହେବାକୁ ପଡ଼ିବ । ଆମ ଘର, ଆମ ପରିବେଶକୁ ଆମକୁ ହିଁ ସଫା ରଖିବାକୁ ପଡ଼ିବ । ପରିବେଶ ସଫା ରହିଲେ ଆମରି ହିଁ ସୁବିଧା ହେବ । ଆମକୁ ହିଁ ବିଭିନ୍ନ ରୋଗ ଦାଉରୁ ମୁକ୍ତି ମିଳିବ ।
୩/୪ ବର୍ଷ ତଳେ ଅଭିନେତା ଅମିର ଖାନ୍‌ଙ୍କର ଏକ କାର୍ଯ୍ୟକ୍ରମ ଚଲିଥିଲା, "ସତ୍ୟମେବ ଜୟତେ" । ସେଇଥିରେ ସେ ଅଳିଆ ଆବର୍ଜନା କମେଇବା ବିଷୟରେ ଅନେକ କିଛି ଉପାୟମାନ ଦେଖାଇଥିଲେ । ସେହି ସବୁକୁ ସରକାର ଏବଂ ଆମମାନଙ୍କୁ ଗ୍ରହଣ କରିବାକୁ ହେବ ।

ଅନେକ ଜିନିଷ ମାଟିରୁ ଅର୍ଥାତ ପ୍ରକୃତିରୁ ତିଆରି ହୋଇଥାଏ । ତେଣୁ ସେଗୁଡ଼ିକ ମାଟିରେ ପଡ଼ିଲେ, ତା' ସ‌ହ ମିଶିଯାଏ । ମାତ୍ର ତା' ସ‌ହ ଆଉ କିଛି ଜିନିଷ ରହିଛି, ଯାହାକି ମାଟି ସ‌ହ ମିଶିପାରେ ନାହିଁ । ଯେମିତିକି ଆମେ ବ୍ୟବ‌ହାର କରୁଥିବା ବିଭିନ୍ନ ପ୍ରକାରର ରସାୟନିକ ବସ୍ତୁରୁ ବାହାରୁଥିବା ବର୍ଜ୍ୟବସ୍ତୁ ସବୁ ମାଟିରେ କେବେହେଲେ ମିଶିପାରେ ନାହିଁ । ସେତେବେଳେ ଗୋଟିଏ ବଡ଼ ଅସୁବିଧା ହୋଇଥାଏ, ମାଟିରେ ମିଶିପାରୁଥିବା ଜିନିଷ ଆଉ ମାଟିରେ ମିଶିପାରୁନଥିବା ଜିନିଷ ଯେତେବେଳେ ଏକାଠି ଗୋଟିଏ ଜାଗାରେ ପଡ଼ିରହ‌ନ୍ତି, ସେତେବେଳେ ମାଟିରେ ମିଶିପାରୁଥିବା ଜିନିଷ ବି ମାଟିରେ ମିଶିପାରେନି । ଆଉ ଗୋଟିଏ ବଡ଼ କାରଣ ହେଉଛି, କିଛି ଜିନିଷ‌କୁ ମାଟିରେ ମିଶିବା ପାଇଁ ମଧ୍ୟ କିଛି ପ୍ରକ୍ରିୟା ରହିଛି ଆଉ ସେ ପ୍ରକ୍ରିୟା ପାଇଁ ଉପଯୁକ୍ତ ଦ୍ରବ୍ୟର ମଧ୍ୟ ଆବଶ୍ୟକତା ରହିଥାଏ । ଯଦି କୌଣସିଟିରେ ବ୍ୟତିକ୍ରମ ଘଟେ, ସେବେ ମାଟିରେ ମିଶି ମାଟି ହେଇପାରୁଥିବା ଜିନିଷ ମାଟିରେ ମିଶିବା ପରିବର୍ତ୍ତେ ଅଧିକ ଅଳିଆ ସୃଷ୍ଟି କରିଥାଏ ।

ପ୍ରଥମ କଥା ହେଉଛି, ଆମେ କେମିତି ଏହି ସବୁ ବର୍ଯ୍ୟବସ୍ତୁର ପରିମାଣକୁ କମ କରିପାରିବା ସେ ବିଷୟରେ ଅଧିକ ଦୃଷ୍ଟି ଦେବ । ଆମେ ମୁଖ୍ୟତଃ ଦୋକାନରୁ କିଛି ଜିନିଷ କିଣିବାବେଳେ ଅଧିକାଂଶ ଜିନିଷ ପଲିଥିନ୍ ବ୍ୟାଗ୍‌ରେ ଆଣିଥାଉ, ଯାହାକି ପରବର୍ତ୍ତୀ ସମୟରେ ପରିବେଶ ପ୍ରଦୂଷଣକୁ ବଢ଼ାଇଥାଏ । ଆମେ ଯଦି ଘରୁ ଗଲାବେଳ ସାଙ୍ଗରେ ବ୍ୟାଗ୍‌ଟିଏ ନେଇକି ଯିବା, ତେବେ ଆମେ ଦୋକାନରୁ ଆଣୁଥିବା ପଲିଥିନ୍ ବ୍ୟାଗ୍‌ର ପରିମାଣ କମିପାରିବ । ଆଉ ଯେଉଁ ଜିନିଷର ଆବଶ୍ୟକତା ନାହିଁ, ଆମେ ତା'କୁ ଆଣି ନଷ୍ଟ କରିବା ପରିବର୍ତ୍ତେ ଆବଶ୍ୟକ ପରିମାଣର ଜିନିଷ ଆଣିବା ଆବଶ୍ୟକ । ଫଳରେ ଅଳିଆ ଆବର୍ଜନର ପରିମାଣ ନିଶ୍ଚତରୂପେ କମ ହୋଇପାରିବ । ଯଦି ଆମେ କେବେ ବାହାରେ କିଛି ଜିନିଷ ବ୍ୟବ‌ହାର କରିବା ପରେ ସେଥିରୁ କିଛି ବର୍ଜ୍ୟବସ୍ତୁ ବାହାରୁଛି, ତାକୁ ଆମେ ସେହିସ୍ଥାନରେ ନ ପକାଇ, ଉଚିତ ସ୍ଥାନରେ ପକାଇବା ଆବଶ୍ୟକ । ବୋଧହୁଏ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ ଅଭିଯାନର ଡାକରା ପରେ ସବୁସ୍ଥାନରେ ଡଷ୍ଟବିନ୍‌ ରଖାଯାଇଛି । ସେହିସବୁ ବର୍ଜ୍ୟବସ୍ତୁକୁ ସେହି ଅଳିଆ ସଂରକ୍ଷଣ ଡବାରେ ପକାଇବା ନିହାତି ଦରକାର । ଫଳରେ ସେହିସବୁ ଅଳିଆ ଏଣେତେଣେ ପଡ଼ିବନି ।

ମାତ୍ର ଆଉଏକ ବଡ଼ ସମସ୍ୟା ହେଉଛି ସରକାରଙ୍କ ତରଫରୁ । ସରକାର ଅଳିଆର ସଠିକ ବିନିଯୋଗ ଏବଂ ନିୟନ୍ତ୍ରଣ ପାଇଁ ମଧ୍ୟ ସେପରି କିଛି ବିଶେଷ ସୁବିଧା କରିନାହାନ୍ତି । ଯଦି ଲୋକମାନେ ଗୋଟିଏ ଜାଗରେ ଅଳିଆ ଠୁଳ କଲେ, ସରକାର ତାକୁ ପୌରପାଳିକାର ଗାଡ଼ି ମାଧ୍ୟମରେ କୌଣସି ଏକ ଜାଗାରେ ନେଇକି କୁଢ଼ କରିଦେଇଆସିଲେ । ମାତ୍ର, ସେଠାରେ ସେହି ସବୁ ଅଳିଆ କେମିତି ପ୍ରକୃତି ସ‌ହ ମିଶିବ, ସେ ବିଷୟରେ ବ‌ହୁତ କମ ଦୃଷ୍ଟି ଦିଅନ୍ତି । ଏମିତିକି ପୌରପାଳିକା ଗୋଟିଏ ସ୍ଥାନରେ ଅଳିଆ ସବୁ ଗଦା କରିବା ପରେ କିଛିଦିନରେ ସେହି ସ୍ଥାନ ଦେଇ ଯିବାଆସିବା ଅସମ୍ଭବ ହୋଇପଡ଼େ ଏବଂ ଆଖପାଖରେ ଥିବା ଜନବସତିଗୁଡ଼ିକରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ମୁଁ ନିଜେ ଦେଖିଛି, ଭବାନୀପାଟଣା ସ‌ହରଠାରୁ ମାତ୍ର ୨/୩ କିଲୋମିଟର ଦୂରରେ ଏକ ସ୍ଥାନରେ ପୌରପାଳିକା ପକ୍ଷରୁ ଗାଡ଼ିରେ ସବୁଯାକ ଅଳିଆ ନିଆଯାଇ ଗଦା କରିଦିଆଯାଏ । ମାତ୍ର ସେହି ଅଳିଆସବୁ ସେମିତି ସେଠାରେ ପଡ଼ିରହିଥାଏ । ବର୍ଷାଦିନରେ ସେହି ରାସ୍ତାଦେଇ ଗଲାବେଳେ ଜଣାପଡ଼ିଥାଏ ସେହି ଅଳିଆର ବିକଟାଳ ରୂପ । ଏମିତିକି ସେହି ଅଳିଆଗଦାଠାରୁ ମାତ୍ର କିଛି ଦୂରରେ ଜନବସତି ମଧ୍ୟ ରହିଛି । ସେହିଭଳି ଭଦ୍ରକ ସ‌ହର ସମସ୍ତ ଅଳିଆ ମଧ୍ୟ ନୂଆ ବସଷ୍ଟାଣ୍ଡ ପାଖରେ ଜାତୀୟ ରାଜପଥ କଡ଼ରେ କାଣ୍ଡିକରିଦିଆଯାଉଛି । ବର୍ଷାଦିନେ ସେହି ରାସ୍ତାରେ ଗଲାବେଳେ କେମିତି ଯିବାକୁ ପଡ଼େ, ତାହା ଅଙ୍ଗେନିଭେଇଥିବା ଲୋକ ହିଁ ଠିକ୍‌ରେ କ‌ହିପାରିବ । ଖାଲି ବର୍ଷାଦିନ ନୁହେଁ, ଅନ୍ୟସମୟରେ ମଧ୍ୟ ସେହି ରାସ୍ତା ଦେଇ ଯିବା କେତେ କଷ୍ଟ ସେ କଥା ମଧ୍ୟ କ‌ହିଲେ ନ ସରେ । ଆଉ ଗୋଟିଏ କଥା ହେଉଛି, ଖୋଲାରେ ସେହି ସବୁ ଅଳିଆ ପକାଯିବା ଫଳରେ, ପବନ ହେଲେ ପୁଣିଥରେ ସେହି ସବୁ ଅଳିଆ ଉଡ଼ିଯାଇ ପୁଣିଥରେ ପରିବେଶକୁ ଦୂଷିତ କରିବାରେ ଲାଗିଥାଏ ।

ସ୍ୱଚ୍ଛଭାରତ କାର୍ଯ୍ୟକ୍ରମକୁ ତିନିବର୍ଷ ପୁରିବାକୁ ଯାଉଥିଲେ ବି ଯେମିତି ସବୁଆଡ଼େ ଅଳିଆ ଥିଲା, ସେମିତି ସବୁଆଡ଼େ ଅଛି । ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଦୂଷଣ ରୋକିବା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କେବଳ କାଜଗପତ୍ରରେ ହିଁ ସେ ସବୁ କାମ ଚାଲିଛି । ଅନେକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କଦ୍ୱାରା ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ଚାରିଆଡ଼େ ଜମା ହେଉଛି । ସେମିତି ପୁରୀ ସମୁଦ୍ର ବେଳାଭୂମିକୁ ବୁଲିବାକୁ ଆସୁଥିବା ଅନେକ ପର୍ଯ୍ୟଟକ ସେମିତି ଅନେକ କିଛି ବର୍ଜ୍ୟବସ୍ତୁ ସମୁଦ୍ରକୂଳରେ ହିଁ ଛାଡ଼ିଦିଅନ୍ତି ଆଉ ସେ ସବୁ ପବନରେ କିମ୍ବା ବର୍ଷାପାଣିରେ ଭାଷିକି ସମୁଦ୍ରରେ ମିଶୁଛି । ଆଉ ସମୂଦ୍ର କିଛି ରଖେନି, ସେ ତ ସବୁକିଛି ଫେରାଇଦେଇଥାଏ । ସେଇଥିପାଇଁ ସମୁଦ୍ରରେ ମିଶୁଥିବା ଅଳିଆସବୁ କୋଉଠି ନା କୋଉଠି ଠୁଳ ହୋଇଥାଏ । ଆଉ ପରବର୍ତ୍ତୀ ସମୟରେ ମଧ୍ୟ ସେସବୁରୁ ନିର୍ଗତ ବିଭିନ୍ନ ରସାୟନ ଗ୍ୟାସ୍ ଆଦି ପରିବେଶକୁ ଅଧିକ ପ୍ରଦୁଷିତ କରିଥାଏ । ଏମିତିକି କେବେ କେବେ ପାଣିଉପରେ ନିଆଁ ଜଳିବାର ଦୃଷ୍ଟାନ୍ତ ମଧ୍ୟ ଆମେ ଦେଖିଛେ । ଅଳିଆ ଆବର୍ଜନାରୁ ନିର୍ଗତ କିଛି ରାସାୟନିକ ଗ୍ୟାସ୍‌‌ ପାଣିଉପରେ ମଧ୍ୟ ନିଆଁ ଜଳାଇପାରୁଛି, ସେ ପରିବେଶ ଉପରେ କେତେ କୁପ୍ରଭାବ ପକାଉଥିବା, ସେଇଟା ଆମକୁ ବିଚାରିବାକୁ ହେବ । ପୁରୀର ବାଙ୍କିମୁହାଣରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅନଶନରେ ବସିଥିଲେ । ବାଙ୍କିମୁହାଣରେ ଜମାହୋଇଥିବା ଅଳିଆକୁ ପରିଷ୍କାର କରିବା ପାଇଁ ତାଙ୍କର ଥିଲା ଏହି ଆହ୍ୱାନ । ଅନଶନରେ ବସିଲେ ହୁଏତ ସେହି ବାଙ୍କି ମୁହାଣ ସଫାକରିଦିଆଯିବ, ହେଲେ ସେହି ସବୁ ଅଳିଆକୁ ପୁଣି କେଉଁଠି ପକାଯିବ? ପୁଣିଥରେ ସେହି ସବୁ ଅଳିଆ କେଉଁଠି ନା କେଉଁଠି ଜମା ହେବ । ପୁଣିଥରେ ସେ ସେହିସ୍ଥାନରୁ ପ୍ରଦୂଷଣ ବଢ଼ାଇବ । ଆଉ ପଟ୍ଟନାୟକେଙ୍କ ସପକ୍ଷରେ ଖାଲି ଯେ କିଛି କ‌ହିଦେଲେ ହେବେନି, ନିଜେ ମଧ୍ୟ ପରିବେଶ ପ୍ରଦୂଷଣକୁ ରୋକିବାରେ କିଛିଟା ସାହାଯ୍ୟ କରିବା ଦରକାର । ପରିବେଶକୁ ନିଜେ ଯଦି ପ୍ରତ୍ୟକ୍ଷ ଭାବରେ ଯୋଡ଼ିହୋଇ ସଫା କରି ପାରୁନାହାନ୍ତି, ତେବେ ତାକୁ ଆବର୍ଜନାରେ ପରିପୂର୍ଣ୍ଣ କରନ୍ତୁ ନାହିଁ । ନିଜେ ନିଜ ତରଫରୁ ଆବର୍ଜନାର ପରିମାଣ କମ କରିବା, ପୁନଃବ୍ୟବ‌ହାର ଉପରେ ଅଧିକ ଗୁରୁତବ ଦେବା, ଅଳିଆକୁ ଉଚିତ ଜାଗାରେ ପକାଇବା ଭଳି କିଛି ପଦକ୍ଷେପ ନିଜ ତରଫରୁ ନିଅନ୍ତୁ । ଏହିସବୁପ୍ରତି ନିଜେ ସଚେତନ ହେବାକୁ ପଡ଼ିବ । ହେଲ୍‌ମେଟ୍ ପିନ୍ଧିଲେ ନିଜକୁ ସୁରକ୍ଷା ମିଳିଥାଏ, ମାତ୍ର ତା' ପ୍ରତି ସରକାରଙ୍କ ତରଫରୁ ଜୋରିମାନ ଭଳି ବ୍ୟବସ୍ଥା କରି ହେଲ୍‌ମେଟ୍ ପିନ୍ଧିବାକୁ ବାଧ୍ୟ କରାଯାଉଛି । ଆଉ ଇଏ ମଧ୍ୟ ଏକ ସେହିଭଳି କାର୍ଯ୍ୟ, ପରିବେଶ ସ୍ୱଚ୍ଛ ରହିଲେ, ଆମେ ହିଁ ରୋଗମୁକ୍ତ ହେବା, ଆମକୁ ଆମ ପରିବେଶ ସୁନ୍ଦର ଲାଗିବ । ସରକାର ଖାଲି ନିୟମ କରିଦେଲେ କିମ୍ବା ସ୍ୱଚ୍ଛତା ପାଇଁ କିଛି ସାହାଯ୍ୟ କରିଦେଲେ ହେବନି, ସେସବୁର ସୁବିନିଯୋଗ ଆମକୁ କରିବାକୁ ହେବ । 










ଦିନେ ମଦର ଟେରେସା କ‌ହିଥିଲେ: ନିଜ ଘରର ଆଖପାଖକୁ ସ‌ଫା ରଖ, ପରିବେଶ ସ୍ୱଚ୍ଛ ଆପେ ହେଇଯିବ । ସେ ଏହି ପୃଥିବୀକୁ ଆମ ଘର ବୋଲି କ‌ହିଥିଲେ । ଏକ ଛୋଟ ଘରେ ଆମେ ସବୁ ରହିଲେ, ସେଇଟା ଆମ ଘର ହେଇଯାଏନି । ଏହି ସମ୍ପୂର୍ଣ୍ଣ ଧରା ହେଉଛି ଆମର ମାଆ । ଯେପରି ଆମେ ଆମର ଶୋଇବାଘରକୁ ସଫା ଏବଂ ସୁନ୍ଦର ରଖିବାକୁ ଚାହୁଁ, ସେହିପରି ଅନ୍ୟମାନଙ୍କର ଶୋଇବାସ୍ଥାକ‌କୁ ମଧ୍ୟ ଅଳିଆ କରିବା ଠିକ୍ ନୁହେଁ । ଏହି ପୃଥିବୀରେ ଅନେକ ଜୀବଜନ୍ତୁ ବସବାସ କରନ୍ତି ଆଉ ସେମାନଙ୍କର ଶୋଇବା ଘର ହେଉଛି ଏହି ପୃଥିବୀ, ସେମନଙ୍କ ଘରକୁ ସ୍ୱଚ୍ଛ ରଖିବାକୁ ଆମେ ଦୃଷ୍ଟି ଦେବା ଦରକାର ।

0 comments:

Post a Comment