ଫୁଲଭରା କଣ୍ଟକିତପଥର ଯାତ୍ରୀ

ଦିନ ପରେ ଦିନ ଗଡ଼ିଚାଲିଲା, ଦେଖୁ ଦେଖୁ ଚାରିବର୍ଷ ବି ଶେଷ ହେବାକୁ ବସିଲା ଆଉ ଆସି ପ‌ହ‌ଞ୍ଚିଗଲା ଗ୍ରାଣ୍ଡ ଭାଇବା । ଏହା ପରେ ଶେଷ ସେମିଷ୍ଟାର ପରୀକ୍ଷା ଆଉ ଶେଷରେ ମେଜର ପ୍ରୋଜେକ୍ଟ । ଯାହା ଯେମିତି ହେଉ ସବୁ ଶେଷ ହେଇଯିବା ପରେ ବିଦାୟ ନେଇଗଲୁ କଲେଜରୁ । କିଛିଦିନ ଘରେ ରହିବା ପରେ ସାଙ୍ଗମାନଙ୍କ ସ‌ହ ମିଶି ଚାଲିଲୁ ଏବେ ଚାକିରୀ ଅନ୍ୱେଷଣରେ ।
ଚାକିରୀ ତ ଆମ ଓଡ଼ିଶାରେ ବ‌ହୁତ ଅଛି, ହେଲେ କ’ଣ ହେବ? ସେମାନଙ୍କୁ ନୂଆ ପିଲାଙ୍କ ଉପରେ ପାଏନି ଭରଷା । ବାଧ୍ୟ ହୋଇ ସଭିଙ୍କୁ ଯିବାକୁ ପଡ଼େ ବାଙ୍ଗାଲୋରକୁ । ବାଙ୍ଗାଲୋର ସ‌ହର ଥିଲା ଆମ ପାଇଁ ସମ୍ପୂର୍ଣ୍ଣ ନୂଆ ଏବଂ ଅଜଣା । ତ‌ଥାପି କିଛି ସାଙ୍ଗଙ୍କ ଜରିଆରେ ପ‌ହ‌ଞ୍ଚିବା ପରେ ରହିବା ଖାଇବା ବ୍ୟବସ୍ଥାଟିଏ ହୋଇଯାଏ । ଏବେ ଅସଲ କାମ ଆରମ୍ଭ ।

ଯେ ସିନା ପୂର୍ବରୁ ଇଂରାଜୀରେ ଭଲ ଅଛି ଏବଂ ଭାବର ଆଦାନପ୍ରଦାନରେ ପ୍ରାଞ୍ଜଳ ଅଛି, ତାକୁ କିଛି ଅସୁବିଧା ହେବନି । ହେଲେ ସେହି ନୂଆ ଜାଗାରେ ବି ବଡ଼ ଅଡ଼ୁଆ । ଆମର ଏଇଠି ବସରେ ଚଢ଼ିବାକୁ ହେଲେ, ଆମେ ସିଧା ବସକୁ ଚଢ଼ିଯାଉ ଏବଂ ସେଇଠି କଣ୍ଡକ୍ଟର ଆସି ଟିକେଟ କରିନିଏ, ହେଲେ ସେଠାରେ ତ ସେ ସବୁ ନାହିଁ, ସେଠାରେ ଟ୍ରେନ ପରି ଆଗୁଆ ଟିକେଟ କରି ଚଢ଼ିବାକୁ ପଡ଼େ । ପ‌ହିଲେ ପ‌ହିଲେ ଆମେ ବି ସେହିଭଳିଆ ଅସୁବିଧାରେ ପଡ଼ିଥିଲୁ । ହେଲେ ଏଇ ସବୁ ଏଠାରେ ବଡ଼ କଥା ନୁହେଁ । ବଡ଼ କଥା ହେଉଛି ପ୍ରତିଦିନ ଚାକିରୀଟିଏ ଖୋଜି ବୁଲିବା । ସବୁବେଳେ ବିଭିନ୍ନ ଜାଗାରେ ଚାକିରୀଟିଏ ପାଇଁ କେତେ ଧାଆଁଦୌଡ଼ ତାହା ଅଙ୍ଗେନିଭେଇଥିବା ଲୋକ ଛଡ଼ା ଆଉ କିଏ ବା ଭଲରେ ଜାଣିବ? ବିଭିନ୍ନ ସମୟରେ ବିଭିନ୍ନ କମ୍ପାନୀକୁ ଯିବାକୁ ପଡ଼େ ଇଣ୍ଟରଭିୟ୍ୟୁ ପାଇଁ, ଆଉ ସେଠାରେ ଯାହା ଯାହା ହୁଏ ସେହି କଥା ସବୁ ନ କ‌ହିଲେ ଚଳେ । ଦୀର୍ଘ ୧୬ ବର୍ଷ ଧରି ଉପାର୍ଜନ କରିଥିବା ସବୁକିଛିକୁ ମାତ୍ର ଗୋଟାଏ ପୃଷ୍ଠାରେ ଏବଂ ହେତୁ ହେବାପରଠାରୁ ଅର୍ଜିଥିବା ସବୁଯାକ ଶିକ୍ଷାକୁ କେଇ ପଦରେ ସିମୀତ କରିବାକୁ ପଡ଼ିଥାଏ । କେବେ କେବେ ଇଣ୍ଟରଭିୟ୍ୟୁ ନେଉଥିବା ଲୋକେ ଓଡ଼ିଆ ମିଡ଼ିଅମ ପିଲା ଦେଖିଲେ ଭାବନ୍ତି କି ୟେ ତ ସ‌ହଜେ ସରକାରୀ ସ୍କୁଲ ପିଲା, ପାଠ ବିଷୟରେ ୟାକୁ କ’ଣ ଜଣାଥିବ । ଆଉ କିଛି ତ ଏମିତି ବ୍ୟବ‌ହାର କରନ୍ତି କି ଯେମିତି ଆମେ ତାଙ୍କୁ ଚାକିରୀ ନୁହେଁ ତାଙ୍କ ସମ୍ପତ୍ତିରୁ ଅଧେ ମାଗିଦେଇଛୁ ।

ଏହିଭଳି କିଛି କମ୍ପାନୀର ଇଣ୍ଟରଭିୟ୍ୟୁରେ ଅସଫଳ ହେବା ପରେ ଧିରେ ଧିରେ ମନ‌କୁ କିଛି ନା କିଛି ନାକାରାତ୍ମକ ଚିନ୍ତାଧାରା ହିଁ ଆପେ ଆପେ ପଶିଆସେ । କେବେ କବେ ତ ଏମିତି ଲାଗେ କି ସତେ କି ଜୀବନରେ ସବୁଠାରୁ ବଡ଼ ଭୁଲ କରିଦେଇଛୁ ଏହି ପାଠ ପଢ଼ି । ଆଉ ଯେବେ ସାଙ୍ଗରେ ଯାଇଥିବା ସାଥୀକୁ ଚାକିରୀଟି ମିଳିଯାଏ, ସେତେବେଳେ ତ ବୁଡ଼ିଯାଉଥିବା ଲୋକର କୁଟାଖିଅଟି ନିଆଁ ଲାଗି ପୋଡ଼ିଯିବା ପରି ଲାଗିଥାଏ । ଆଉ ଯଦି ଦୈବାତ୍ ସେହି ଚାକିରୀ ଖୋଜା ଅଭିଯାନ ଭିତରେ ଘରକୁ କେବେ ଆସିବାକୁ ପଡ଼ିଯାଏ, ସେବେ ତ ସବୁକିଛି ସରିଯାଏ । ଯିଏ ବି ଦେଖିଲେ ପଚାରିଦିଏ କ’ଣ ଭାଇ ଚାକିରୀ ମିଳିଲାନି? ଆଉ କେହି କେହି ତ ଯାହାର ଏହି ସବୁ ବିଷୟରେ କିଛି ବି ଅଭିଜ୍ଞତା ନ ଥାଏ, ସେ ନିଜକୁ ଭଗବାନ କୃଷ୍ଣ ଆଉ ଆମକୁ ଅର୍ଜୁନ ଭାବି ଏମିତି ଉପଦେଶ ଆରମ୍ଭ କରିଦିଅନ୍ତି, ସତେକି ପାଖରେ କେହି ଥିଲେ ବ୍ୟାସଦେବ ହୋଇ ସେ ସବୁକୁ ଲେଖି ଆଉ ଏକ ନୂଆ #ଗୀତା ସୃଷ୍ଟି କରନ୍ତା ।

ସବୁ ପରେ ବି ଆମକୁ ତିଷ୍ଠି ରହିବାକୁ ପଡ଼ିଥାଏ, ସେହି ଭଙ୍ଗାରାସ୍ତାରେ ଯାଇ ଦୌଡ଼କୁ ଶେଷ ଦେଖାଇଦେବାକୁ ପଡ଼ିଥାଏ ସେହିମାନଙ୍କୁ ଯେଉଁମାନେ କେବଳ ଗଛ ଚଢ଼ାଇଦେବା ପରେ ଡ଼ାଳ ଭାଙ୍ଗିବା ଅବସ୍ଥାରେ ଆମକୁ ଦୋଷ ଦିଅନ୍ତି କି ତମେ କ’ଣ ଜାଣିନଥିଲ କି ସେ ଡ଼ାଳଟିର ଅବସ୍ଥା କେମିତି? ସତେ ଯେମିତି ଆମେ ନିତିଦିନ ଏହିସବୁକୁ ଭଲରେ ପଢ଼ିଆସିଛୁ ଏବଂ ସେଠାରେ ଥିବା ସବୁଯାକ ଅସୁବିଧା ଆମକୁ ଜନ୍ମ ଆଗରୁ ଜ୍ଞାତ ଥିଲା । ସର୍ବୋପରି ଆମେ ଏକ ଫୁଲଭରା କଣ୍ଟାପଥପରେ ଏକାକୀ ଯାତ୍ରୀ । ଯେଉଁଠି ଆସପାଶର ସଭିଙ୍କୁ କେବଳ ଫୁଲ ଦେଖାଯାଏ ଏବଂ ଲୁଚିଥିବା କଣ୍ଟାରେ ପାଦ ରକ୍ତାକ୍ତ ହୋଇଗଲେ, ସେମାନଙ୍କୁ ଆମ ପାଦର ଏବଂ ଆମର ଦୋଷ ହିଁ ନ‌ଜର ଆସିଥାଏ ।

0 comments:

Post a Comment