ବଡ଼ି - Blogs by Sangram Keshari Senapati

Saturday 18 February 2017

ବଡ଼ି

ବଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଏହା ବଟା ବିରିରେ ମସଲା ମିଶେଇ ତାହାକୁ ଖରାରେ ଶୁଖାଇ ତିଆରି କରାଯାଏ । ଶୁଖିଲା ବଡ଼ିକୁ ସାଇତି ରଖି ପରେ ଭାଜି ବିଭିନ୍ନ ତରକାରିରେ ପକାଇ କିମ୍ବା କେବଳ ଚୁରି ଖିଆଯାଇଥାଏ । ବଡ଼ି ଓଡ଼ିଶା ସମେତ ବିହାର, ପଶ୍ଚିମ ବଙ୍ଗଳା ଆଦି ରାଜ୍ୟରେ ମଧ୍ୟ ଖିଆଯାଇଥାଏ । ବଡ଼ି ବେସର, ଶାଗ ଖରଡ଼ା, ଭଜା, ଖଟା, ସନ୍ତୁଳା ଆଦିରେ ପଡ଼ିଥାଏ ।

ଛୋଟ ଛୋଟ ବଡ଼ିକୁ 'ଫୁଲବଡ଼ି', ଯେଉଁ ବଡ଼ିରେ ପାଣିକଖାରୁ କୋରା ହୋଇ ମିଶିଥାଏ ତାକୁ 'କଖାରୁବଡ଼ି (ହିନ୍ଦୀ - କୁମଡ଼ୈରୀ), ଯେଉଁ ବଡ଼ିରେ ବୋଇତି କଖାରୁ ବା ପାଣି କଖାରୁ ମଞ୍ଚିଥାଏ ତାକୁ 'ମଞ୍ଜି ବଡ଼ି' ଯହିଁରେ ଖସା ମିଶିଥାଏ ତାକୁ 'ଖସା ବା ରାଶିବଡି' (ହିନ୍ଦୀ - ତିଲୌଡ଼ି) କହନ୍ତି ମୁଗବଟାରେ ତିଆରି ବଡ଼ିକୁ 'ମୁଗବଡ଼ି' କହନ୍ତି ଗଞ୍ଜାମ ଅଞ୍ଚଳରେ ମୁଳବାଡ଼ି, ମୁନିବଗାଡ଼ି ଓ ପିଆଜ ଆଦିର ବଡ଼ି ହୁଏ ।

 

ଗୋଟା ବିରିକୁ ପ୍ରଥମେ ପେଷାରେ ପେଷେଇ ଖଣ୍ଡବିରି କରାଯାଏ । ଏହା ପରେ ସେହି ଖଣ୍ଡବିରିକୁ ବତୁରେଇ ରଖାଯାଏ । ଏହି ବିରିଯାକୁ ଭଲଭାବରେ ବତୁରିଗଲା ପରେ ତାକୁ ଭଲ ଭାବରେ ଘସି ଧୋଇଦେଲେ ତା'ଦେହରୁ ଚୋପା ବାହାରିଯାଏ, ଯାହା ଫଳରେ ବଡ଼ି ହେଲେ ଅଧିକ ଧଳା ଦେଖାଯିବ । ଚୋପା ବାହାର କରି ସାରିବା ପରେ ବିରିକୁ ଶିଳରେ ବଟାଯାଏ । ଏବେ ଶିଳରେ ବ୍ୟବ‌ହାର କମିଗଲାଣି । ତେଣୁ ମିକ୍ସର ଗ୍ରାଇଣ୍ଡରରେ କେହି କେହି ବାଟୁଛନ୍ତି । ଏହ ପରେ ବଟାଯାଇଥିବା ବିରିରେ ଲଙ୍କାଗୁଣ୍ଡ, ଜୀରା ଗୁଣ୍ଡ ଆଦି ପକାଇ ଛୋଟ ଛୋଟ କରି କୁଲା, ପାତିଆ କିମ୍ବା କପଡ଼ା ଉପରେ ପକାଯାଇଥାଏ । ଏହା ପରେ ତାକୁ ଶୁଖିବାକୁ ରଖାଯାଏ । ପୂରା ଶୁଖିଗଲା ପରେ ବଡ଼ି ତିଆରି ହୋଇଥାଏ ।



ବଡ଼ିଚୁରା ପାଇଁ ବଡ଼ିକୁ ଭାଜି, ଚୁରି, ସେଥିରେ କଞ୍ଚା ଲଙ୍କା, ପିଆଜ, ରସୁଣ ଆଦି ଛେଚି ମିଶାଇ ତିଆରି କରାଯାଇଥାଏ । ବଡ଼ି ବିଭିନ୍ନ ତରକାରୀରେ ପଡ଼ିଥାଏ ।


No comments:

Post a Comment