୨୦୧୫ ବର୍ଷରେ ଟ୍ୱିଟରରେ ଓଡ଼ିଶାର ଟ୍ରେଣ୍ଡ - Blogs by Sangram Keshari Senapati

Monday 8 February 2016

୨୦୧୫ ବର୍ଷରେ ଟ୍ୱିଟରରେ ଓଡ଼ିଶାର ଟ୍ରେଣ୍ଡ

ସୋଶିଆଲ ମିଡ଼ିଆର ଆଗମନ ପରେ ସାମ୍ବାଦପତ୍ରର ସଂଜ୍ଞା ବଦଳିଯାଇଛି । କୌଣସି ସମ୍ବାଦ ବା ତ‌ଥ୍ୟକୁ ଜନସାଧାରଣଙ୍କ ପାଖରେ ପ‌ହ‌ଞ୍ଚାଇବା ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ପାଲିଟିଛି । ଯଦିଓ କିଛି ଅଗ୍ରଗାମୀ ଓଡ଼ିଆ ଫେସବୁକ ବା ଟ୍ୱିଟରରେ ବ‌ହୁ ସମୟ ଧରି ସକ୍ରିୟ ଥିଲେ, କିନ୍ତୁ ଗୋଷ୍ଠୀବଦ୍ଧ ଭାବେ ଓଡ଼ିଶା କିମ୍ବା ଏହାର କୌଣସି ବୈଶିଷ୍ଟ୍ୟକୁ କେବେ ପ୍ରୋତ୍ସାହିତ କରାଯାଇନଥିଲା ।
ବିଶେଷକରି ଟ୍ୱିଟରରେ ଅନେକଗୁଡ଼ିଏ ବିଷୟର ଟ୍ରେଣ୍ଡ ବା ଧାରା ସୃଷ୍ଟି ହୋଇଥାଏ । ଗୋଟିଏ ସମୟରେ କୌଣସି ନିର୍ଦ୍ଧିଷ୍ଟ ବିଷୟ ଉପରେ ଅଧିକ ଆଲୋଚନା ହେଲେ ଏହି ବିଷୟଟି ଟ୍ରେଣ୍ଡ ହୋଇଥାଏ, ଯାହାକି ଅଣଓଡ଼ିଆ ବ୍ୟବ‌ହାରକାରୀଙ୍କୁ ଏହି ବିଷୟ ପ୍ରତି ଆକୃଷ୍ଟ କରେ । ତେଣୁ ଓଡ଼ିଶାକୁ ପ୍ରଦର୍ଶନ କରିବା ପାଇଁ ଏହା ଏକ ଉଚିତ ମାଧ୍ୟମ ହୋଇପାରେ ବୋଲି ଚିନ୍ତା କରି ଏକ ମିଳିତ ଉଦ୍ୟମ ଆରମ୍ଭ ହେଲା । ଗତ ୨୦୧୫ ବର୍ଷରେ କିଛି ଉତ୍ସୁକ ଓଡ଼ିଆଙ୍କ ଆହ୍ୱାନ‌କ୍ରମେ ପ୍ରଥମଥର ପାଇଁ #PakhalaDibasa ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବ‌ହୁ ଲୋକ ଏଥିରେ ଉତ୍ସାହର ସ‌ହ ଭାଗ ନେଇଥିଲେ । ପଖାଳ ଉପରେ କବିତା ରଚନାଠାରୁ ଆରମ୍ଭ କରି ଭଳିକି ଭଳି ଫଟୋ ଟୁଇଟ କରି ମାର୍ଚ୍ଚ ୨୦ ଜାତୀୟ ସ୍ତରରେ ପଖାଳ ଦିବସର ମାନ୍ୟତା ପାଇଲା । ପ୍ରଥମ ଉଦ୍ୟମରେ ସଫଳତାର ସ୍ୱାଦ ଚାଖିବା ପରେ ଓଡ଼ିଆ ସମ୍ପ୍ରଦାୟ ଆଉ ପଛକୁ ଚାହିଁନଥିଲା । ପରବର୍ତ୍ତୀ ସମୟରେ ଉତ୍କଳ ଦିବସକୁ ସୋଶିଆଲ ସାଇଟରେ ଏଭଳି ପାଳନ କରାଗଲା ଯାହା ଫଳରେ ବ‌ହୁ ଇତିହାସ, ଭୂଗୋଳ ତ‌ଥା ସାହିତ୍ୟ ସମ୍ପର୍କରେ କେତେକ ନୂଆ ନୂଆ ଅଜଣା ତ‌ଥ୍ୟ ଲୋକଲୋଚନ‌କୁ ଆସିଲା ଏବଂ #UtkalaDibasa ଟ୍ରେଣ୍ଡ ହେଲା । ପରେ ପରେ ନବକଳେବର ରଥଯାତ୍ରା ଟ୍ରେଣ୍ଡ ଆସିଲା । ସରକାରୀ ସ୍ତରରେ ମଧ୍ୟ ଏଥର ନବକଳେବରର ପ୍ରଚାର ପାଇଁ ସୋଶିଆଲ ସାଇଟର ବ୍ୟବ‌ହାର କରାଯାଇଥିଲା । #NabakalebaraRathJatra ଟ୍ରେଣ୍ଡଟି ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ ସବୁଠାରୁ ଅଧିକ ସମୟ ଧରି ପ୍ରଥମ ସ୍ଥାନରେ ରହିଥିଲା । ଯାହା ଫଳରେ ସାରା ବିଶ୍ୱ ରଥଯାତ୍ରା ସମ୍ପର୍କରେ ସମସ୍ତ ତ‌ଥ୍ୟ ସ‌ହଜରେ ଜାଣିପାରିଲା । ପରେ ପାଳିତ ହେଲା ରସଗୋଲା ଦିବସ । ରସଗୋଲା ଓଡ଼ିଶାର ବୋଲି ପ୍ରମାଣିତ କରିବା ପାଇଁ ବ‌ହୁ ଓଡ଼ିଆ ଅକ୍ଳାନ୍ତ ଉଦ୍ୟମ କଲେ । ବ‌ହୁ ତ‌ଥ୍ୟ ଟୁଇଟ କରାଗଲା । ଫଳରେ ଏବେ ଓଡ଼ିଶା ରସଗୋଲା ନିଜର ବୋଲି ଦାବି କରୁଥିଲାବେଳେ ପଡ଼ୋଶୀ ରାଜ୍ୟ ପଶ୍ଚିମ‌ବଙ୍ଗ ତା'ର ବୋଲି ଦାବି କରିବା ଦ୍ୱାରା ଏହା ବିଚାରାଧୀନ ରହିଛି । ସଫଳତା ମିଳିବା ପରେ ଓଡ଼ିଆ ଟୁଇଟିଆଳୀମାନେ ଅଧିକ ସଂଖ୍ୟାରେ ଏଥିରେ ଯୋଜନାବଦ୍ଧ ଭାବରେ ଭାଗ ନେବାରେ ଲାଗିଲେ । ସେହିଭଳି ରଜ ପର୍ବ ସମୟରେ ଓଡ଼ିଶାର ପୁରପଲ୍ଲୀରେ ରଜ କେମିତି ପାଳନ ହୁଏ, ପିଠାପଣାର ଅୟୋଜନ, ରଜ ଗୀତ ତ‌ଥା ରଜ ସମୟରେ ଖେଳାଯାଉଥିବା ବାଗୁଡ଼ି ଖେଳ ବିଷୟରେ ବ‌ହୁ ତ‌ଥ୍ୟ ଲୋକଲୋଚନ‌କୁ ଆଣିବା ପାଇଁ #RajaParba ଟ୍ରେଣ୍ଡ ହେଲା । ନୂଆଖାଇ ସମୟରେ #NuakhaiJuhar ହାସ୍ ଟ୍ୟାଗଟି ମଧ୍ୟ ବେଶ କିଛି ସମୟ ଧରି ସାରା ଭାରତରେ ପ୍ରଥମ ସ୍ଥାନରେ ରହିଥିଲା । ଏଥିରେ ପଶ୍ଚିମ ଓଡ଼ିଶା ଓ ଏହି ପର୍ବ ସମ୍ବନ୍ଧରେ ଲୋକେ ବ‌ହୁ ତ‌ଥ୍ୟ ଜାଣିବାକୁ ପାଇଲେ । ସେହିଭଳି ଭାଗବତ ଟୁଙ୍ଗିର ଟ୍ରେଣ୍ଡ ମଧ୍ୟ ଆରମ୍ଭ ହେଲା । ଭାଗବତ ଟୁଙ୍ଗୀ ସଂସ୍କୃତିକୁ ପୁନଶ୍ଚ ଉଜ୍ଜୀବିତ କରାଇବା ସ‌ହ ଯୁବପିଢ଼ିକୁ ଏଥି ସ‌ହ ପରିଚୟ କରାଇବା ଏହାର ମୁଖ୍ୟ ଉଦେଶ୍ୟ ଥିଲା । ଏଥିରେ ମଧ୍ୟ ବ‌ହୁ ଓଡ଼ିଆ ଟୁଇଟାଳୀମାନେ ଭାଗ ନେଇଥିଲେ । ଫଳରେ ଭାଗବତଜନ୍ମ ଦିନ ପ୍ରଥମ କରି ଓଡ଼ିଆ ଶବ୍ଦ #ଭାଗବତ ଟ୍ରେଣ୍ଡ ହେଲା । ଏହି ଟ୍ରେଣ୍ଡଟି କିଛି ସମୟ ଧରି ପ୍ରଥମ ସ୍ଥାନରେ ମଧ୍ୟ ରହିଥିଲା । ସେହିଭଳି ବ‌ହୁ ମହାପୁରୁଷ ଓଡ଼ିଶା ମାଟିରେ ଜନ୍ମ ନେଇ ଦେଶ ବିଦେଶରେ ଓଡ଼ିଶାକୁ ଗୌରାବାନ୍ନିତ କରିଥିଲେ । ସେମିତି ଜଣେ ଯୁଗପୁରୁଷ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ଏହି ଯୋଗ୍ୟ ସନ୍ତାନଙ୍କ ଜନ୍ମଦିନରେ ଓଡ଼ିଆ ଟୁଇଟାଳୀମାନେ #Utkalamani ଟ୍ରେଣ୍ଡ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେହିଭଳି #DurgaPujaInOdisha, #OdishaPatachitra, #IncredibleChilika ଆଦି ଟ୍ରେଣ୍ଡ କରି ଟୁଇଟାଳୀମାନେ ବେଶ ସୁନ୍ଦର ସୁନ୍ଦର ଫଟୋ ଓ ତ‌ଥ୍ୟମାନ ଉପସ୍ଥାପନ କରିଥିଲେ । ଓଡ଼ିଶାରେ ବୌଦ୍ଧ ଧର୍ମାବଲମ୍ବୀଙ୍କର ବିଶେଷ ସ୍ଥାନ ରହିଛି । ତେଣୁ ଟୁଇଟାଳୀମାନେ #KalingaBudha ଟ୍ରେଣ୍ଡ କରି ଇତିହାସକୁ ଉଜ୍ଜୀବିତ କରିଥିଲେ । କାର୍ତ୍ତିକ ପୂର୍ଣିମା ସମୟରେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ ସମ୍ପର୍କିତ ତ‌ଥ୍ୟ ଲୋକଲୋଚନ‌କୁ ଆଣିବା ପାଇଁ ତ‌ଥା ଓଡ଼ିଶାର ସର୍ବବୃହତ ମେଳା ବାଲିଯାତ୍ରା ବିଷୟରେ ସଭିଙ୍କୁ ଜଣାଇବାକୁ #Balijatra ଟ୍ରେଣ୍ଡରେ ବ‌ହୁଳମାତ୍ରାରେ ଫଟୋ ଓ ତ‌ଥ୍ୟ ପୋଷ୍ଟ କରାଯାଇଥିଲା । ଓଡ଼ିଶାର ପ୍ରାଚୀନ‌ ପ୍ରସ୍ତରକଳାର ଉତ୍କୃଷ୍ଟ ଉପାଦେୟ କୋଣାର୍କ ମନ୍ଦିରର ଐତିହ୍ୟ ତ‌ଥା କୋଣାର୍କ ମହୋତ୍ସବକୁ ବିଶ୍ୱ ସମୁଦାୟରେ ପ‌ହ‌ଞ୍ଚାଇବା ପାଇଁ ଡ଼ିସେମ୍ବର ୧ରେ #Konark ଟ୍ରେଣ୍ଡ ହୋଇଥିଲା । ଏଥିରେ ଖାଲି ଭାରତୀୟମାନେ ନୁହେଁ ଅଣଭାରତୀୟମାନେ ମଧ୍ୟ ଭାଗ ନେଇଥିଲେ । ତେଣୁ ସୋଶିଆଲ ମିଡ଼ିଆରେ ୨୦୧୫ରେ ଓଡ଼ିଶା ପାଇଁ ଉଲ୍ଲେଖନୀୟ ବା ଏକ ଗୁରୁତୁପୂର୍ଣ୍ଣ ମାଇଲଖୁଣ୍ଟ ଥିଲା କ‌ହିଲେ ଅତ୍ୟୁକ୍ତି ହେବନାହିଁ । ୨୦୧୬ ଆରମ୍ଭରୁ ଜାନୁଆରୀ ୧୪ରେ ମଧ୍ୟ ବିଶ୍ୱପ୍ରସିଦ୍ଧ ଧୁନୁଯାତ୍ରାକୁ ଟ୍ରେଣ୍ଡ କରାଯାଇଥିଲା । ଆଗକୁ ଆ‌ହୁରି ମଧ୍ୟ ଏହି ଟ୍ରେଣ୍ଡ ଜାରି ରହିବ ଓ ଓଡ଼ିଆ ଟୁଇଟାଳୀମାନେ ବ‌ହୁଳ ଭାବରେ ଭାଗ ନେବେ ବୋଲି ଆଶା ।

No comments:

Post a Comment