ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ ।"

ବିଦ୍ୟା ହେଉଛି ଅମୂଲ୍ୟ, କୌଣସି ମୂଲ ଦେଇ ବି ବିଦ୍ୟାକୁ ମାପି ହେବନି, କାରଣ ବିଦ୍ୟା କାହାଠାରୁ କିଣି ହୁଏ ନାହିଁ ଏହା କେବଳ ସ୍ୱଶିକ୍ଷାରୁ ହିଁ ମିଳିଥାଏ । ବିଦ୍ୟା ହେଉଛି ଏକ ଏମିତି ଜିନିଷ ତାହା ଅନୁଭବରୁ ହିଁ ମଣିଷକୁ ଜ୍ଞାତ ହୋଇଥାଏ । ଚୋରଟିଏ ଚୋରିକରିବାକୁ ଆସିଲେ ସବୁକିଛି ଚୋରି କରିପାରିବ, ହେଲେ କେବେ କାହାର ବିଦ୍ୟାକୁ ଚୋରିକରି ନେଇପାରିବ ନାହିଁ । କୌଣସି ଜିନିଷକୁ ଖର୍ଚ୍ଚ କଲେ ତାହା ଦିନେ ନା ଦିନେ ସରିଯାଏ, ହେଲେ ବିଦ୍ୟାକୁ ଯେତେ ଅଧିକ ଖର୍ଚ୍ଚ କରିବ ସେ ସେତେ ଅଧିକ ଅଧିକ ହୋଇ ବଢ଼ିଚାଲିଥିବ । “ବିଦ୍ୟା ଦ‌ଦାତି ବିନୟଂ”, ଅର୍ଥାତ୍ ବିଦ୍ୟାରୁ ବିନମ୍ରତା ଭାବ ଜାତ ହୋଇଥାଏ, ଯେଉଁ ବିନମ୍ରତା ଭାବ ମନୁଷ୍ୟକୁ ଦୁନିଆରେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇବା ସ‌ହିତ ସଭିଙ୍କର ପ୍ରିୟପାତ୍ର କରାଇଥାଏ । କଥାରେ ଅଛି ରାଜା ନିଜ ରାଜ୍ୟରେ ପୂଜା ପାଏ, କିନ୍ତୁ ଜ୍ଞାନୀଲୋକଟିଏ ସର୍ବତ୍ର ପୂଜା ପାଏ । ବିଦ୍ୟା ଏପରି ଏକ ଧନ ଯାହାକୁ ଯେତେ ବାଣ୍ଟିଲେ ମଧ୍ୟ ସରେ ନାହିଁ, ବରଂ ବିଦ୍ୟାଦାନ ଦ୍ୱାରା ନିଜର ବିଦ୍ୟାର ପରିମାଣ ବଢ଼େ ଏବଂ ସେହି ବିଦ୍ୟା ଦୁନିଆକୁ ଆଗକୁ ଆଗକୁ ନେବାରେ ସାହାଯ୍ୟ କରେ । ବିଦ୍ୟା ଅର୍ଜନ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ଏବଂ ଏହି ଅର୍ଜିତ ବିଦ୍ୟାକୁ ବଣ୍ଟନ କଲେ ସେହି ଅର୍ଜିତ ପୁଣ୍ୟ ଅପେକ୍ଷା ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ ।

ଅଧୁନା ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଶିକ୍ଷାପଦ୍ଧତି କିନ୍ତୁ ବିଦ୍ୟାପ୍ରାପ୍ତି ପାଇଁ ନୁହେଁ, ବରଂ କେବଳ ବିଦ୍ୟାକୁ ଧନ ଉପାର୍ଜନର ମାଧ୍ୟମ ଭାବରେ ଅଧ୍ୟୟନ କରାଯାଉଛି । ଆମର ଓଡ଼ିଶାର ବିଦ୍ୟାଳୟମାନଙ୍କ କଥା ଆଖିଆଗକୁ ନିଆଗଲେ, ଆମେ ଦେଖିବା କି ଆମର ଓଡ଼ିଆ ବିଦ୍ୟାଳୟକୁ ପିଲାମାନେ ବିଦ୍ୟାଅଧ୍ୟୟନ କରିବାକୁ ପସନ୍ଦ କରୁନାହାନ୍ତି । ବ‌ହୁତ କମ୍ ପିଲାମାନେ ଓଡ଼ିଆ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ୁଛନ୍ତି, ଯେଉଁମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ସେମାନଙ୍କର ମାସିକ ଖର୍ଚ୍ଚ ଦେଇପାରିବେନାହିଁ, ସେମାନେ ହିଁ ସରକାରୀ ବିଦ୍ୟାଳୟକୁ ଆସୁଛନ୍ତି । ସରକାରୀ ବିଦ୍ୟାଳୟର କଥା ତ ସଭିଙ୍କୁ ଉଣା ଅଧିକେ ଜଣାଅଛି, ଏବେ ଟିକେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉପରକୁ ଆସିବା । ଓଡ଼ିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଅନେକ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ବିଦ୍ୟାଳୟମାନ ଗଢ଼ିଉଠିଛି । ଅଭିଭାବକମାନଙ୍କ ଅନୁସାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନେ ପଢ଼ିଲେ ସେମାନେ ଅଧିକ କିଛି ଶିଖିପାରିବେ ଓ ଭବିଷ୍ୟତରେ ବ‌ହୁତ ଉପରକୁ ଯିବେ । ହେଲେ ଏହି ବିଦ୍ୟାଳୟମାନଙ୍କରେ ପଢ଼ିବା ଦ୍ୱାରା ପିଲାମାନଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି ସେ ଉପରେ ଟିକେ ନ‌ଜର ପକାଇବା ।

ପିଲାଟିଏ ଟିକେ ଟିକେ କଥା କ‌ହିବା ଆଗରୁ ତାକୁ ଛାଡ଼ିଲେ ଖେଳ ସ୍କୁଲ୍‌ରେ । ଯେଉଁ ସମୟରେ ସେ ନିଜର ପିତାମାତାଙ୍କ ପାଖରେ ଅଧିକ ସମୟ ରହିବା ଦରକାର ସେହି ସମୟରେ ସେ ଦିନରେ ସମୟ ବିତାଏ ଖେଳ ସ୍କୁଲ୍‌ରେ । ଧିରେ ଧିରେ ବଡ଼ ହେବା ବେଳକୁ ତାକୁ ପୁଣି ପଠାଇ ଦିଅନ୍ତି ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ, ସେଠାରେ ଓଡ଼ିଆ କ‌ହିବା ମନା, କେବଳ ଇଂରାଜୀରେ କ‌ଥାବାର୍ତ୍ତା । ବିଦ୍ୟାଳୟ ପରିସରରେ ଓଡ଼ିଆ କ‌ହିଲେ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେହି ପିଲାମାନଙ୍କର ଅଭିଭବକଙ୍କୁ ତାଗିଦ୍ କରାଯାଏ କି ପିଲା ଯେମିତି ଘରେ ଓଡ଼ିଆରେ ବି କଥାବାର୍ତ୍ତା ନ କରେ ସେଥିପ୍ରତି ଧ୍ୟାନ ଦେବାକୁ । ସେ‌ହିଠାରୁ ଆରମ୍ଭ ହୁଏ ନିଜର ମାତୃଭାଷା ପ୍ରତି ଭିନ୍ନ ଧାରଣା, ଯାହାକି ତାକୁ ଏକ ଭୁଲ୍ ଭଳି ପରିଲକ୍ଷିତ ହୋଇଥାଏ । ସେ ତା’ର ମନେ ମନେ ସ୍ଥିର କରିନେଇଥାଏ କି, ଯଦି ସେ ଏହି ଭାଷାର ବ୍ୟବ‌ହାର ଦ୍ୱାରା କିଛି ଅସୁବିଧା ଭୋଗ କରୁଛି, ତେବେ କାହିଁକି ସେ ସେହି ଭାଷାର ବ୍ୟବ‌ହାର କରିବ । କେତେ କେତେ ସ୍ଥାନରେ ଏପରି ହୋଇଥାଏ କି, ପିଲାମାନଙ୍କର ଅଭିଭାବକ ଶିକ୍ଷକ ସେମାନଙ୍କୁ ଏମିତି ଲୋକଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତି, ଯେଉଁମାନେ କେବଳ ଇଂରାଜୀରେ କଥାବାର୍ତ୍ତା କରିବେ । ଏମିତିକି ସେମାନଙ୍କର ବୃଦ୍ଧ ଜେଜେବାପା କିମ୍ବା ଜେଜେମାଆଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତିନି, କାହିଁକି ନା ସେମାନେ ଇଂରାଜୀ ଜାଣିନାହାନ୍ତି । ଗୋଟିଏ ଘରେ ରହୁଥିଲେ ବି ପିଲାମାନଙ୍କୁ ସେମାନଙ୍କ ସ‌ହ ମିଶିବାକୁ ଦିଆଯାଏନି ।

ଏବେ ସରକାରଙ୍କ ନିୟମକୁ ମାନିବାକୁ ଯାଇ କିଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଜର ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମମାନ ଯୋଡ଼ିଲେ । ସେହି ପାଠ୍ୟ ଖସଡ଼ା ଅନୁସାରେ ପିଲାମାନେ ଓଡ଼ିଆ କେବଳ ସେହି ଶ୍ରେଣୀଗୃହ ମଧ୍ୟରେ ପଢ଼ିବେ ଓ କ‌ହିବେ । ଶ୍ରେଣୀଗୃହ ବାହାରେ ସେହି ବିଷୟରେ କିଛି ଆଲେଚୋନା କରିବେ ନାହିଁ । ସେହି ପାଠ ପୁଣି ଆରମ୍ଭରୁ ଶିକ୍ଷାଦାନ କରାଯିବନି, ଷଷ୍ଠ ଶ୍ରେଣୀରେ ପିଲାମାନେ ଓଡ଼ିଆ ଶିଖିବେ, କେବଳ ଏକ ପାଠରେ ଉତ୍ତୀର୍ଣ ହେବା ପାଇଁ । ବିଦ୍ୟାଳୟ ପାଠ ସରିବା ପରେ ସେମାନେ କେବେ ଆଉ ଓଡ଼ିଆ ଭାଷାକୁ ଦେଖନ୍ତିନି କିମ୍ବା ପଢ଼ନ୍ତିନି । ଫଳ ସ୍ୱରୂପ ସେମାନେ ଓଡ଼ିଆ ଲିପି ଠିକ୍‌ରେ ପଢ଼ିପାରନ୍ତିନି ଓ ଓଡ଼ିଆ ଠିକ୍‌ରେ କ‌ହିପାରନ୍ତିନି ।

ଏହି ପାଠ ପଢ଼ା କେବଳ ନିଜର ଜୀବନରେ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବ‌‌ହାର କରାଯାଉଛି । ବିଦ୍ୟଳୟମାନଙ୍କରେ ବିଦ୍ୟାଦାନ ପରିବର୍ତ୍ତେ ବିକ୍ରି କରାଯାଉଛି କ‌ହିଲେ କିଛି ଅତ୍ୟୁକ୍ତି ହେବନାହିଁ ବୋଲି ମୋର ମନେ ହେଉଛି । ପିଲାମାନେ ଏମିତି ନିଜର ମାତୃଭାଷାଠାରୁ ଦୂରେଇ ରହିବା କାରଣରୁ ନିଜର ପିତାମାତାଙ୍କ ଠାରୁ ମଧ୍ୟ ଦୂରେଇ ଯାଅନ୍ତି । ଶେଷରେ ମାତାପିତା ଅନ୍ୟକାହାର ଦୋଷ ଦିଅନ୍ତି, ଦୁନିଆର ଦୋଷ ଦିଅନ୍ତି, ନିଜ କର୍ମର ଦୋଷ ଦିଅନ୍ତି । ହେଲେ ପ୍ରକୃତରେ ଭୁଲ୍ କୋଉଠି ସେକଥା ଜାଣିବାକୁ ଚେଷ୍ଟା କରନ୍ତିନି ।

ଏହି ସବୁ କଥା କ‌ହିବାର ତାତ୍ପର୍ଯ୍ୟ ହେଉଛି କି ନିଜର ପିଲାମାନଙ୍କୁ ନିଜର ମାତୃଭାଷାଠାରୁ ଦୂରେଇ ରଖନ୍ତୁନି, ଯଦି ସେମାନଙ୍କୁ ସେମାନଙ୍କ ମାତୃଭାଷାଠାରୁ ଦୂରେଇ ରଖିବେ, ସେମାନେ ବଡ଼ ହେଲା ପରେ ଆପଣମାନଙ୍କ ଠାରୁ ଦୂରେଇ ଯିବେ ।